ଜମ୍ମୁ-କଶ୍ମୀରରେ ଚାଲିବା ପାଇଁ ବିଜେପି ନେତାଙ୍କ ପାଖରେ ସାହସ ନାହିଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରା ସୋମବାର ଶେଷ ହୋଇଛି। ଏହି ଅବସରରେ କଂଗ୍ରେସ ଶ୍ରୀନଗରର ଶେର-ଇ-କଶ୍ମୀର ଷ୍ଟାଡିୟମରେ ଏକ ସାଧାରଣ ସଭାର ଆୟୋଜନ କରିଥିଲା। ବରଫ ବର୍ଷା ସତ୍ତ୍ବେ ବି ରାହୁଲ ଗାନ୍ଧୀ ନିଜର ଭାଷଣ ବନ୍ଦ କରିନଥିଲେ। ସମର୍ଥକଙ୍କୁ ସମ୍ବେ‌ାଧିକ କରି ରାହୁଲ ଗାନ୍ଧୀ କହିଥିଲେ, ମୁଁ ଗାନ୍ଧିଜୀଙ୍କଠାରୁ ଶିଖିଛି ଯେ ଯଦି ତୁମେ ବଞ୍ଚିବାକୁ ଚାହୁଁଛ, ତେବେ ତୁମକୁ ବିନା ଭୟରେ ବଞ୍ଚିବାକୁ ପଡିବ। ମୁଁ ଏଠାରେ ଚାରି ଦିନ ଚାଲିଲି। ମୁଁ କେବଳ ଏହା ଭାବୁଥିଲି ଯେ ମୋର ଟି-ସାର୍ଟର ରଙ୍ଗ ବଦଳିଯିବ, ଏହାକୁ ଲାଲ୍ କରିଦିଆଯିବ। କିନ୍ତୁ ମୁଁ ଯାହା ଭାବିଥିଲି ତାହା ହେଲା ନାହିଁ। ଜମ୍ମୁ କଶ୍ମୀରର ଲୋକମାନେ ମୋତେ ହ୍ୟାଣ୍ଡ ଗ୍ରେନେଡ ନଦେଇ ଭଲପାଇବା ଦେଇଥିଲେ। ଖୋଲା ହୃଦୟରେ ମୋତେ ସ୍ବାଗତ କରିଥିଲେ।

ରାହୁଲ ଗାନ୍ଧୀ ଆହୁରି କହିଥିଲେ ଯେ ମୁଁ ଚାରି ଦିନ ଯେମିତି ବିନା ଭୟରେ ପଦଯାତ୍ରା କଲି, କୌଣସି ବିଜେପି ନେତା ତାହା କରିପାରିବେ ନାହିଁ। କାରଣ ବିଜେପିର ଲୋକମାନେ ଭୟଭୀତ ଅଛନ୍ତି।

ରବିବାର ରାହୁଲ ସିଧାସଳଖ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ଜମ୍ମୁ କଶ୍ମୀରରେ ଟାର୍ଗେଟ କିଲିଂ ଓ ବିସ୍ଫୋରଣ ଘଟୁଛି। ଯଦି ସୁରକ୍ଷା ବ୍ୟବସ୍ଥା ଏତେ ଭଲ ତେବେ ଲାଲ ଚୌକ୍ ଠାରୁ ଜମ୍ମୁକୁ କାହିଁକି ବିଜେପି ପଦଯାତ୍ରା କରୁନାହିଁ? ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁରୁ କଶ୍ମୀର ପର୍ଯ୍ୟନ୍ତ କାହିଁକି ଯାତ୍ରା କରୁନାହାନ୍ତି? ମୁଁ ଭାବୁନାହିଁ ଏଠାରେ ସୁରକ୍ଷା ବ୍ୟବସ୍ଥା ଭଲ ଅଛି।

ସମ୍ବନ୍ଧିତ ଖବର