ଆଗ ମୋଦିଙ୍କୁ ହଟେଇବି, ତା’ପରେ ବାହା ହେବା କଥା ଚିନ୍ତା କରିବି: ରାହୁଲ ଗାନ୍ଧୀ

ହାଇଦ୍ରାବାଦ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ବର୍ତ୍ତମାନ ଏକମାତ୍ର ଲକ୍ଷ୍ୟ କିଭଳି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶାସକ ଗାଦୀରୁ ହଟାଇବେ। ହାଇଦ୍ରାବାଦଗସ୍ତ ସମୟରେ ସାମ୍ବାଦିକମାନଙ୍କ ସହ କଥାବର୍ତ୍ତା ସମୟରେ ଜଣେ ତାଙ୍କୁ ତାଙ୍କ ବିବାହ ବିଷୟରେ ପଚାରିବାରୁ ସେ କହିଥିଲେ, ‘ବର୍ତ୍ତମାନ ବିବାହ କରିବାର ମୋର କୌଣସି ଯୋଜନା ନାହିଁ। ଏବେ ମୋର ଏକମାତ୍ର ଯୋଜନା ମୋଦିଙ୍କୁ ହଟାଇବା। ’ ଏଥିସହ ରାହୁଲ ଗାନ୍ଧୀ ଉତ୍ତର ଦେଇଥିଲେ ଯେ ସେ କଂଗ୍ରେସ ଦଳକୁ ବିବାହ କରିଛନ୍ତି। ତେଣୁ ବିବାହର ପ୍ରଶ୍ନ ଉଠୁନାହିଁ।

୨୦୧୯ ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଜିତିବ କି? ଏ ପ୍ରଶ୍ନରେ ରାହୁଲ କହିଥିଲେ- ‘ବାଜି ମାରନ୍ତୁ! ଏହା ହିଁ ଘଟିବାକୁ ଯାଉ।’ ତାଙ୍କ ଉତ୍ତରର ଆଧାର ଦର୍ଶାଇବାକୁ ଯାଇ କଂଗ୍ରେସ ଅଧ୍ୟକ୍ଷ ଯୁକ୍ତି ବାଢ଼ିଥିଲେ କି, ନରେନ୍ଦ୍ର ମୋଦି ଆଉ ଥରେ ଦେଶର ପ୍ରଧାନମନ୍ତ୍ରୀ ହେବା ପ୍ରଶ୍ନ ଉଠୁନାହିଁ। କାରଣ ତାଙ୍କର ଏକାଧିକ ସହଯୋଗୀ ଦଳ ଏହାକୁ ବିରୋଧ କରୁଛନ୍ତି। ଯଦି ବିଜେପି କେନ୍ଦ୍ରରେ ସରକାର ଗଢ଼ିବାକୁ ଚାହେଁ ତେବେ ତାକୁ ୨୩୦ଆସନ ଜିତିବାକୁ ପଡ଼ିବ। ଅର୍ଥାତ ଉତ୍ତରପ୍ରଦେଶ ଓ ବିହାରରେ ସମସ୍ତ ଆସନ ଜିତିଲେ ଏହା ସମ୍ଭବ ହୋଇପାରିବ। ମାତ୍ର କଂଗ୍ରେସ ସହ ଉତ୍ତର ପ୍ରଦେଶରେ କଂଗ୍ରେସ ସହ ସମାଜବାଦୀ ପାର୍ଟି ଓ ବହୁଜନ ସାମଜ ପାର୍ଟିର ମେଣ୍ଟ ଥିବା ବେଳେ ବିହାରରେ ଅଛି ରାଷ୍ଟ୍ରୀୟ ଜନତା ଦଳ।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ -ମୋଦିଙ୍କ ସହିତ ମୋର ବ୍ୟକ୍ତିଗତ ସ୍ତରରେ କୌଣସି ସମସ୍ୟା ନାହିଁ, କିନ୍ତୁ ଆଦର୍ଶଗତ ସ୍ତରରେ ଭିନ୍ନତା ରହିଛି। କଂଗ୍ରେସ ଦଳ ବିଜେପି ଓ ଆର୍‌ଏସ୍‌ଏସ୍‌ ବିରୋଧରେ ଦଶନ୍ଧି ଦଶନ୍ଧି ଧରି ଆଦର୍ଶଗତ ସ୍ତରରେ ସଂଘର୍ଷ କରି ଆସୁଛି। ଏହା ଜାରି ରହିବ।

ସମ୍ବନ୍ଧିତ ଖବର