‘ଟୁଇଟର୍‌ ଷ୍ଟାଟସ୍‌’ ବଦଳାଇ ରାହୁଲ୍‌ ଗାନ୍ଧୀ ଲେଖିଲେ ‘ଡିସ୍‌’କ୍ବାଲିଫାଏଡ୍‌ ଏମ୍‌ପି’

ନୂଆଦିଲ୍ଲୀ: ‘ମୋଦୀ’ ସାଙ୍ଗିଆ ଟିପ୍ପଣୀ ମାମଲାରେ ଦଣ୍ଡାଦେଶ ପାଇବା ଯୋଗୁଁ ଲୋକସଭା ସାଂସଦ ପଦ ହରାଇବା ପରେ ରାହୁଲ୍‌ ଗାନ୍ଧୀ ଆଜି ତାଙ୍କ ‘ଟୁଇଟର୍‌ ହ୍ୟାଣ୍ଡେଲ୍‌ ଷ୍ଟାଟସ୍‌’ ବଦଳାଇ ଦେଇଛନ୍ତି।

ଏବେ ସେଥିରେ ଲେଖାଯାଇଛି: ଏହା ହେଉଛି ରାହୁଲ୍‌ ଗାନ୍ଧୀଙ୍କର ‘ଅଫିସିଆଲ୍‌ ଆକାଉଣ୍ଟ୍‌’। ‘ଭାରତୀୟ ଜାତୀୟ କଂଗ୍ରେସ’ର ସଦସ୍ୟ।  ଡିସ୍‌’କ୍ବାଲିଫାଏଡ୍‌ ଏମ୍‌. ପି.।

‘ମୋଦୀ ସାଙ୍ଗିଆ’ ମନ୍ତବ୍ୟ କାରଣରୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରି ଗୁଜରାଟର ସୁରତ ଜିଲ୍ଲା ଅଦାଲତ ରାହୁଲ୍‌ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ୧୫,୦୦୦ ଟଙ୍କା ଜରିମାନା ‌କରିବା ପରେ ତାଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ରାହୁଲ୍‌ଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ଆଜି କଂଗ୍ରେସ ଦେଶବ୍ୟାପୀ ଦିନିକିଆ ‘ସଙ୍କଳ୍ପ ସତ୍ୟାଗ୍ରହ’ ଚଳାଇଛି।

Image Courtesy of ANI

ଦିଲ୍ଲୀରେ ଏହି ସତ୍ୟାଗ୍ରହର ନେତୃତ୍ବ ନେଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ତାଙ୍କ ପରିବାରକୁ ବାରମ୍ବାର ଅପମାନିତ କରାଯାଉଥିଲେ ବି ସେମାନେ ପ୍ରତିବାଦ କରିନାହାନ୍ତି।  ପାର୍ଲାମେଣ୍ଟ୍‌ରେ ତାଙ୍କ ବାପାଙ୍କୁ ଅପମାନ ଦିଆଯାଇଛି ଏବଂ ତାଙ୍କ ଭାଇଙ୍କୁ ‘ମୀର୍‌ ଜାଫର୍‌’ ଡକାଯାଇଛି। ଆପଣଙ୍କ ମନ୍ତ୍ରୀମାନେ ସଂସଦରେ ମୋ ମାଆଙ୍କୁ ଅପମାନିତ କରିଛନ୍ତି। ଆପଣମାନଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, ତାଙ୍କର ବାପା କିଏ ବୋଲି ମଧ୍ୟ ରାହୁଲ୍‌ ଜାଣିନାହାନ୍ତି। କିନ୍ତୁ, ସେଭଳି ଲୋକମାନଙ୍କ ଉପରେ କ‌ୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଏଭଳି ଲୋକମାନଙ୍କୁ ସଂସଦର ଅଯୋଗ୍ୟ ଘୋଷଣା କରାଯାଇନାହିଁ। ସେମାନଙ୍କୁ ଜେଲ୍‌ ପଠାଯାଇ ନାହିଁ। ବର୍ଷ ବର୍ଷ ଧରି ସେମାନଙ୍କୁ ନିର୍ବାଚନ ଲଢ଼ିବାରୁ ବିରତ କରାଯାଇ ନାହିଁ। ଏ ଦେଶର ପ୍ରଧାନମନ୍ତ୍ରୀ ଜଣେ ଭୀରୁ ବୋଲି ପ୍ରିୟଙ୍କା କହିଛନ୍ତି।

ସମ୍ବନ୍ଧିତ ଖବର