ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପୁନଃ ଅବସ୍ଥାପିତ ଦାବିରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପି ବିକ୍ଷୋଭ; କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଗିରଫ

ନୂଆଦିଲ୍ଲୀ: ରାତିଅଧିଆ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଭାବେ ଦାୟିତ୍ୱରୁ ଅନ୍ତର କରିଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପୁଣି ଥରେ ସିବିଆଇ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରିବା ଦାବିରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଦେଶବ୍ୟାପି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜଧାନୀ ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିବା ପାଇଁ କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ଆସିବା ଫଳରେ ନୂଆଦିଲ୍ଲୀର ରାଜରାସ୍ତାରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି। ଏବଂ ରାଜରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହେବା ଫଳରେ ସାଧାରଣ ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ଅଶୋକ ଘେଲୋଟ, ଅହେମ୍ମଦ ପଟେଲ ଓ ପ୍ରମୋଦ ତିଓ୍ଵାରୀ ପ୍ରମୁଖ ଦିଲ୍ଲୀର ସିବିଆଇ ମୁଖ୍ୟାଳୟ ସମ୍ମୁଖରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପୁଣି ଥରେ ସିବିଆଇ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରିବା ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଲୋଧିରୋଡ୍‌ ଥାନା ପୁଲିସ୍‌ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ କଂଗ୍ରେସ ନେତାମାନଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।

ଓଡ଼ିଶାରେ ମଧ୍ୟ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ କଂଗ୍ରେସର ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର