ନୂଆଦିଲ୍ଲୀ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବା କାରଣରୁ ଅଭିମାନ କରିଛନ୍ତି ବୋଲି କୁହାଯାଉଥିବା ନୀତୀଶ କୁମାରଙ୍କ ନିକଟକୁ ଫୋନ୍‌ କରି ଗୁରୁବାର ସନ୍ଧ୍ୟାରେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ କଥାବାର୍ତ୍ତା କରିଛନ୍ତି।

Advertisment

‘ଜନତା ଦଳ (ୟୁନାଇଟେଡ୍‌)’ ସୂତ୍ରରୁ ଜଣାପଡ଼ିଛି ଯେ, ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଖଡ୍‌ଗେଙ୍କ ନାମ ପ୍ରସ୍ତାବ ଦେବା ଉପରେ କଂଗ୍ରେସର ମନୋଭାବ ବିଷୟରେ ରାହୁଲ୍‌ ଗାନ୍ଧୀ ତାଙ୍କୁ ବୁଝାଇ ଦେଇଛନ୍ତି। ନୀତୀଶ ମଧ୍ୟ କହିଲେ ଯେ, ଖଡ୍‌ଗେଙ୍କ ନାମ ପ୍ରସ୍ତାବ ସମ୍ବନ୍ଧରେ ସେ କିଛି ଜାଣି ନ ଥିଲେ।

ବାନାର୍ଜୀ ଓ କେଜ୍ରିୱାଲ୍‌ କହିଥିଲେ ଯେ, ଖଡ୍‌ଗେ ଦେଶର ପ୍ରଥମ ଦଳିତ ପ୍ରଧାନମନ୍ତ୍ରୀ ‌ହୋଇ ପାରନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ।

After 'Kharge For PM' Call, Rahul Gandhi Reaches Out To Nitish Kumar Image Courtesy of NDTV

ରାହୁଲ୍‌ ଓ ନୀତୀଶଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ପ୍ରସଙ୍ଗ ବାହାରେ ପ୍ରକାଶ କରାଯାଇ ନାହିଁ। କିନ୍ତୁ, ଦଳର ଅଭ୍ୟନ୍ତରୀଣ ଲୋକେ ଦେଇଥିବା ସୂଚନା ଅନୁସାରେ, ବିଭିନ୍ନ ପ୍ରସଙ୍ଗକୁ ନେଇ ନୀତୀଶ କୁମାର ଓ ‘ଇଣ୍ଡିଆ’ ମେଣ୍ଟ ମଧ୍ୟରେ ମତଭେଦ ରହିଛି।

ଟେଲିଫୋନ୍‌ ବାର୍ତ୍ତାଳାପରେ ରାହୁଲ୍‌ ଗାନ୍ଧୀ ଓ ନୀତୀଶ କୁମାର ‘ଇଣ୍ଡିଆ’ ମେଣ୍ଟର ସାମର୍ଥ୍ୟ ସମ୍ବନ୍ଧରେ ବି ଆଲୋଚନା କରିଥିବା କଥା ଶୁଣାଯାଉଛି। ବିହାର କ୍ୟାବିନେଟ୍‌ ସମ୍ପ୍ରସାରଣ ସମ୍ବନ୍ଧୀୟ ଆଲୋଚନାରେ ରାହୁଲ୍‌ ନୀତୀଶଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ।