ବିଜେପି କର୍ମୀଙ୍କୁ ଭାରତ ଯୋଡ଼ ଯାତ୍ରାରେ ସାମିଲ୍‌ ହେବାକୁ କହିଲେ, ନମାନିବା‌ରୁ ‘ଫ୍ଲାଇଂ କିସ୍‌’ ଦେଲେ ରାହୁଲ

ଝାଲାବାଡ଼: ଭାରତ ଯୋଡ଼ ଯାତ୍ରା ପାଇଁ ଆଜିକାଲି ଖୁବ୍ ଚର୍ଚ୍ଚାରେ ରହିଛନ୍ତି କଂଗ୍ରେସ ନେତା‌ ରାହୁଲ ଗାନ୍ଧୀ। ମଙ୍ଗଳବାର ସକାଳୁ ବି ରାହୁଲ ପ୍ରତିଦିନ ପରି ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ଏହି ଭାରତ ଯୋଡ଼ ଯାତ୍ରା ଦେଖିବାକୁ ଭାଜପାର ଝାଲାବାଡ଼ କାର୍ଯ୍ୟାଳ‌ୟ ଛାତ ଉପରେ ଛିଡ଼ା ହୋଇ କିଛି କାର୍ଯ୍ୟକର୍ତ୍ତା ରାହୁଲଙ୍କୁ ଚାହିଁ ରହିଥିଲେ। ସେମାନଙ୍କୁ ଦେଖିବା ପରେ ରାହୁଲ ତୁରନ୍ତ ‘ଫ୍ଲାଇଂ କିସ୍‌’ ଦେଇଥିଲେ।

ଏହି ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟିକୁ ରାଜସ୍ଥାନ ୟୁଥ୍‌ କଂଗ୍ରେସର ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ‌ଯେ ରାହୁଲ କିଛି ସମୟ ପର୍ଯ୍ୟନ୍ତ ସେମାନଙ୍କୁ ଚାହିଁ ଚୁମ୍ବନ ଦେଇ ଚାଲିଛନ୍ତି। ପ୍ରଥମେ ରାହୁଲ ସେମାନଙ୍କୁ ଭାରତ ଯୋଡ଼ ଯାତ୍ରାରେ ସାମିଲ୍‌ ହେବାରେ ନିମନ୍ତ୍ରଣ ଦେଇଥିଲେ। ସେମାନେ ନଆସିବାରୁ ରାହୁଲ ଉଡ଼ନ୍ତା ଚୁମ୍ବନ ଦେଇଥିଲେ।

ସେପ୍ଟେମ୍ବରରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଏହି ଯାତ୍ରା କରି କଂଗ୍ରେସ ହରାଇଥିବା ଲୋକପ୍ରିୟତା ପୁଣି ଥରେ ହାସଲ କରିବାକୁ ଚାହୁଁଛି। ଏହି ଯାତ୍ରା ମଧ୍ୟପ୍ରଦେଶରୁ ବାହାରି ଏବେ ରାଜସ୍ଥାନରେ ପ୍ରବେଶ କରିଛି।

 

ତେବେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ଲୋକପ୍ରିୟତା ହାସଲ ‌କରିବାକୁ ଚେଷ୍ଟା କରୁଛି କଂଗ୍ରେସ। ଏନେଇ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଆରମ୍ଭ କରି ବିଭିନ୍ନ ରାଜ୍ୟକୁ ଯାଉଛନ୍ତି। ସିଧାସଳଖ ଭାବେ ଜନତାଙ୍କ ସହ କଥାବାର୍ତ୍ତା କରିବା ପାଇଁ କଂଗ୍ରେସ ଏହି ଯାତ୍ରାର ଆୟୋଜନ କରିଛି। ଏହି ଯାତ୍ରା ପରେ କଂଗ୍ରେସ ‘ହାତ୍ ସେ ହାତ୍ ଯୋଡୋ ଅଭିଯାନ’ ଆରମ୍ଭ କରିବ ବୋଲି କହିଛି। ରବିବାର କଂଗ୍ରେସର ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର