‘ଧ୍ୟାନ’ ପାଇଁ ବିଦେଶ ଗସ୍ତରେ ରାହୁଲ

ନୂଆଦିଲ୍ଲୀ : ନଭେମ୍ବର ୫ରୁ ୧୫ ଯାଏ କଂଗ୍ରେସ ସାରା ଭାରତରେ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି ବିରୋଧରେ ପ୍ରତିବାଦ କାର୍ଯ୍ୟକ୍ରମ କରୁଥିବାବେଳେ ରାହୁଲ ଗାନ୍ଧୀ ଅଚାନକ ଧ୍ୟାନ କରିବା ପାଇଁ ବିଦେଶ ଯିବା ଚର୍ଚ୍ଚାର ବିଷୟ ପାଲଟିଛି। ରାହୁଲ ଗାନ୍ଧୀ ଧ୍ୟାନ କରିବାକୁ ବିଦେଶ ଯାଇଛନ୍ତି ବୋଲି ଦଳ ପକ୍ଷରୁ କୁ‌ହାଯାଇଛି। ରାହୁଲଙ୍କ ବାରମ୍ବାର ବିଦେଶ ଗସ୍ତକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ଧ୍ୟାନ କ’ଣ ଭାରତରେ ସମ୍ଭବ ହୋଇପାରିବ ନାହିଁ କି ବୋଲି ବିଜେପି ପ୍ରଶ୍ନ କରିଛି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ନିଜେ କେନ୍ଦ୍ର ସରକାରଙ୍କ ବିରୋଧରେ ହେବାକୁ ଥିବା କଂଗ୍ରେସର ପ୍ରତିବାଦ କାର୍ଯ୍ୟକ୍ରମ ସ୍ଥିର କରିଥିଲେ। କିନ୍ତୁ ଏହାର ଦାୟିତ୍ବ ଅନ୍ୟ ନେତାଙ୍କୁ ଦେଇ ରାହୁଲ ବିଦେଶ ଗସ୍ତରେ ଯାଇଛନ୍ତି। ଭାରତ ଭଳି ସଂସ୍କୃତି ସମ୍ପନ୍ନ ରାଷ୍ଟ୍ରରେ ଧ୍ୟାନ କରିବାକୁ ରାହୁଲଙ୍କୁ ସ୍ଥାନ ମିଳିଲା ନାହିଁ ଯେ, ତାଙ୍କୁ ଏଥିପାଇଁ ବିଦେଶ ଯିବାକୁ ପଡୁଛି ବୋଲି ବିଜେପିର ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକ‌ାରଙ୍କ ବିରୋଧରେ କଂଗ୍ରେସର ପ୍ରତିବାଦ କାର୍ଯ୍ୟକ୍ରମ ନେଇ ଦଳ ମୁଖପାତ୍ର ରଣଦୀପ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ଅବସରରେ ରାହୁଲ ଗାନ୍ଧୀ ଧ୍ୟାନ ପାଇଁ ବିଦେଶ ଯିବା କଥା କହିଛନ୍ତି।

ସମ୍ବନ୍ଧିତ ଖବର