କଂଗ୍ରେସରେ ଯୋଗ ଦେବାକୁ ପ୍ରଶାନ୍ତ କିଶୋର ମନା କରିବେ ବୋଲି ଆରମ୍ଭରୁ ଜାଣିଥିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବଂ କଂଗ୍ରେସ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଧୀରେ ଧୀରେ ସାମ୍ନାକୁ ଆସୁଛି। କଂଗ୍ରେସରେ ଯୋଗଦେବା ପାଇଁ ଦଳ ଦେଇଥିବା ପ୍ରସ୍ତାବକୁ ପ୍ରଶାନ୍ତ କିଶୋର ପ୍ରତ୍ୟାଖ୍ୟାନ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ରାହୁଲ ଗାନ୍ଧି ପ୍ରଥମ ଦିନରୁ ହିଁ ପୂର୍ବାନୁମାନ କରିଥିଲେ ଯେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବେ ନାହିଁ। ଏହା ସହ ଅନେକ ନେତା ଅନୁଭବ କରିଥିଲେ ଯେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଅନ୍ୟ ଦଳରୁ ଫାଇଦା ନେବାକୁ କଂଗ୍ରେସକୁ ବ୍ୟବହାର କରିବାକୁ ଚାହୁଁଛନ୍ତି।

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୬ରେ  ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସ ଦଳରେ ଯୋଗଦେବାକୁ ମନା କରିଦେଇଥିଲେ । ଏ ସଂପର୍କରେ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେଓ୍ବାଲା ଟୁଇଟ କରି ସୂଚନା ଦେଇଥିଲେ। ନିଜ ଟୁଇଟରେ ସେ ଲେଖିଥିଲେ, ପ୍ରଶାନ୍ତ କିଶୋରଙ୍କ ସହ ଆଲୋଚନା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ୨୦୨୪ ନିର୍ବାଚନ ପାଇଁ ଏକ କ୍ଷମତାଶାଳୀ କମିଟି ଗଠନ କରିଥିଲେ ଓ କେତେକ ନିର୍ଦ୍ଦିଷ୍ଟ ଦାୟିତ୍ବ ସହ ସେଥିରେ ଯୋଗ ଦେବାକୁ ପ୍ରଶାନ୍ତଙ୍କୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ସେ ମନା କରିଦେଇଛନ୍ତି । ଦଳକୁ ସେ ଦେଇଥିବା ପରାମର୍ଶ ପାଇଁ ଦଳ ତାଙ୍କୁ ଧନ୍ୟବାଦ ଦେଉଛି ।

ଅନ୍ୟପକ୍ଷରେ ପ୍ରଶାନ୍ତ କହିଥିଲେ ଯେ, ମୁଁ ଦଳରେ ଯୋଗ ଦେବା ପାଇଁ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଅଫରକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରୁଛି । ମୋ ମତରେ, ମୋ ଅପେକ୍ଷା କଂଗ୍ରେସ ଦଳ  ନେତୃତ୍ବ ଓ ସାଂଗଠନିକ ସ୍ତରରେ ଥିବା ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକ ସଂସ୍କାର ପାଇଁ ସାମୁହିକ ଇଚ୍ଛାଶକ୍ତି ଆବଶ୍ୟକ କରେ ।

ସମ୍ବନ୍ଧିତ ଖବର