ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଉତ୍ତର-ପୂର୍ବ ରାଜ୍ୟ ଆସାମରେ ପ୍ରବେଶ କରିବା ପରଠାରୁ ବିବାଦ ସୃଷ୍ଟି ହୋଇଛି। ଭାରତବାସୀଙ୍କ ପାଇଁ ନ୍ୟାୟ ଦାବି କରି ଆସୁଥିବା ଏହି ଯାତ୍ରାକୁ ଆସାମର ପୂର୍ବତନ କଂଗ୍ରେସ ସଭାପତି ଅଞ୍ଜନ ଦତ୍ତଙ୍କ ଝିଅ ତଥା ପୂର୍ବତନ ଦଳୀୟ କର୍ମୀ ଅଙ୍କିତା ଦତ୍ତଙ୍କଠାରୁ ଜବାବର ସମ୍ମୁଖୀନ ହେବାକୁ ପଡ଼ିଛି। ଗତ ଏପ୍ରିଲ ମାସରେ ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭିଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିବା ପରେ ଅଙ୍କିତାଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଥିଲା। ଜାନୁଆରି ୧୮ ତାରିଖରେ ଯେତେବେଳେ ଯାତ୍ରା ନାଗାଲାଣ୍ଡରୁ ଅଙ୍କିତାଙ୍କ ଜନ୍ମସ୍ଥାନ ଆମଗୁରୀ ଦେଇ ଆସାମରେ ପ୍ରବେଶ କରିଥିଲା, ସେତେବେଳେ ସେ ଯାତ୍ରା ମାର୍ଗରେ ତାଙ୍କ ସମର୍ଥକଙ୍କ ସହ ଧାରଣା ଦେଇଥିଲେ। ପୋଷ୍ଟରରେ ତାଙ୍କୁ ନ୍ୟାୟ ଦେବାକୁ ଦାବି କରାଯିବା ସହ ରାହୁଲଙ୍କ ଗାଡ଼ିମାଳାକୁ ସ୍ବାଗତ କରାଯାଇଥିଲା। ସେହିଦିନ ଜୋରହାଟରେ ବଡ଼ ସମସ୍ୟାକୁ ଅପେକ୍ଷା କରାଯାଇଥିଲା, ଯେଉଁଠାରେ ଏଆଇସିସି (ଅଖିଳ ଭାରତୀୟ କଂଗ୍ରେସ କମିଟି) ସଦସ୍ୟ ଏବଂ ରାହୁଲଙ୍କ ସହଯୋଗୀ କେବି ବାଇଜୁଙ୍କ ବିରୋଧରେ ଅନୁମତିପ୍ରାପ୍ତ ମାର୍ଗରେ ନ ଯାଇ ଜବରଦସ୍ତ ଜୋରହାଟ ସହର ଭିତରେ ପଶିବା ଅଭିଯୋଗରେ ଏଫ୍‌ଆଇଆର ରୁଜୁ କରାଯାଇଥିଲା। ବାଇଜୁ ଯାତ୍ରା ମାର୍ଗ ଯୋଜନା ଦାୟିତ୍ୱରେ ଅଛନ୍ତି। ଜୋରହାଟ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଅନୁମତି ଅନୁସାରେ କେବି ରୋଡ୍ ଅଭିମୁଖେ ଯାତ୍ରା କରିବା ପରିବର୍ତ୍ତେ ଭାରତ ଯୋଡ଼ା ନ୍ୟାୟ ଯାତ୍ରା ସହରରେ ଏକ ଭିନ୍ନ ମୋଡ଼ ନେଇଥିଲା, ଯାହା ଫଳରେ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ଏହାର ଦୁଇଦିନ ପରେ କଂଗ୍ରେସ ଅଭିଯୋଗ କରିଥିଲା ଯେ, ଲକ୍ଷ୍ମୀପୁର ସହରରେ ବିଜେପି କର୍ମୀମାନେ ଏହାର ପୋଷ୍ଟର ଓ ବ୍ୟାନର ଚିରିଛନ୍ତି ଏବଂ ଗାଡ଼ି ଭଙ୍ଗାରୁଜା କରିଛନ୍ତି। କଂଗ୍ରେସ ୫୪ ସେକେଣ୍ଡର ଏକ ଭିଡିଓ ଜାରି କରିଛି, ଯେଉଁଥିରେ ରାତିରେ କିଛି ଲୋକ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉଥିବାର ଶୁଣିବାକୁ ମିଳିଛି। ଜଣେ ବ୍ୟକ୍ତି ବାଡ଼ି ଧରି ପୋଷ୍ଟର ଫାଡି ଦେଉଥିବା ବେଳେ ଅନ୍ୟ ଜଣେ ରାହୁଲ ଓ ଅନ୍ୟ ଦୁଇ କଂଗ୍ରେସ ନେତାଙ୍କ ଫଟୋ ଥିବା ହୋର୍ଡିଂକୁ ତଳକୁ ଟାଣୁଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ପତାକା ଓ ଷ୍ଟିକର ଥିବା ଦୁଇଟି ଗାଡିର କାଚ ଭାଙ୍ଗିଯାଇଛି। ତେବେ ଆସାମ ପୁଲିସ ମହାନିର୍ଦ୍ଦେଶକ ଜିପି ସିଂହ କଂଗ୍ରେସର ଏହି ଦାବିକୁ ଖଣ୍ଡନ କରିଛନ୍ତି। ପରଦିନ ସୋନିତପୁର ଜିଲ୍ଲାରେ ରାହୁଲ ବିଜେପି ସମର୍ଥକଙ୍କ ଉପରକୁ ଯାତ୍ରା ବସ୍‌ରୁ ଉଡ଼ନ୍ତା ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଥିଲା, ଯେଉଁମାନେ ଗେରୁଆ ପତାକା ଉତ୍ତୋଳନ କରି ‘ମୋଦୀ-ମୋଦୀ’ ଏବଂ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉଥିଲେ। ଏହାପରେ ସେ ଭିଡ଼ର ସାମନା କରିବାକୁ ବାହାରକୁ ବାହାରିଥିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ ତାଙ୍କ ଗାଡ଼ିକୁ ଫେରିଯିବାକୁ କହିଥିଲେ। ସେହି ଦିନ ସନ୍ଧ୍ୟାରେ ରାହୁଲ ଓ ଅନ୍ୟ କଂଗ୍ରେସ ନେତାମାନେ ନଗାଓଁ ଜିଲ୍ଲାର ଆମବାଗାନରେ ରାସ୍ତା କଡ଼ରେ ଥିବା ଏକ ଭୋଜନାଳୟରେ ଅଟକିଥିବା ବେଳେ ସେମାନେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକଙ୍କ ସମ୍ମୁଖୀନ ହୋଇଥିଲେ, ଯେଉଁମାନେ କଂଗ୍ରେସ ନେତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ‘ଅନ୍ୟାୟ ଯାତ୍ରା’ ଏବଂ ‘ରାକିବୁଲ୍ ଗୋ ବ୍ୟାକ୍’ ଭଳି ବାର୍ତ୍ତା ଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଏହା ପୂର୍ବରୁ ସୋନିତପୁରରେ ଦୁଇଟି ପୃଥକ୍ ଘଟଣାରେ ରାଜ୍ୟ କଂଗ୍ରେସ ସଭାପତି ଭୂପେନ କୁମାର ବୋରାଙ୍କୁ ଆକ୍ରମଣ କରାଯିବା ସହ କଂଗ୍ରେସ ଯୋଗାଯୋଗ ମୁଖ୍ୟ ଜୟରାମ ରମେଶଙ୍କ କାର୍ ଉପରେ ଆକ୍ରମଣ କରାଯାଇଥିଲା।

ଜାନୁଆରି ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅଯୋଧ୍ୟାରେ ନୂତନ ରାମମନ୍ଦିରରେ ପୂଜାର୍ଚ୍ଚନା ସମାରୋହ ଅନୁଷ୍ଠିତ ହେବା ଦିନ ରାଜ୍ୟ ପ୍ରଶାସନ ସହ ରାହୁଲଙ୍କ ଯାତ୍ରାର ସବୁଠାରୁ ବଡ ମୁହାଁମୁହିଁ ହୋଇଥିଲା। ସକାଳ ପ୍ରାୟ ୮ଟା ବେଳେ ରାହୁଲ ଆସାମର ପିତା ଭାବରେ ସମ୍ମାନିତ ବୈଷ୍ଣବ ସନ୍ଥ ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ନଗାଓଁର ବୋର୍ଡୋୱା ଥାନକୁ ଯିବାକୁ ଚାହୁଥିଲେ। ଏହି ଗସ୍ତ ଏକ ସପ୍ତାହରୁ ଅଧିକ ସମୟ ପୂର୍ବରୁ ସ୍ଥିର ହୋଇଥିଲା। ଏହି ଗସ୍ତର ଦୁଇ ଦିନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାହୁଲଙ୍କୁ ଜାନୁଆରି ୨୨ ତାରିଖରେ ମନ୍ଦିରକୁ ନ ଯିବାକୁ କହିଥିଲେ। ଜାନୁଆରି ୨୧ ତାରିଖ ଅପରାହ୍ଣ ୨ଟାରେ ମନ୍ଦିର କର୍ତ୍ତୃପକ୍ଷ ସାର୍ବଜନୀନ ଭାବେ ଏକ ଚିଠି ଜାରି କରି ରାହୁଲଙ୍କୁ ଜାନୁଆରି ୨୨ ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗସ୍ତ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ତଥାପି ଜାନୁଆରି ୨୨ ତାରିଖ ସକାଳ ୮ଟାରେ ରାହୁଲ ମନ୍ଦିରକୁ ଯିବାକୁ ଚେଷ୍ଟା କରିବାରୁ ଜିଲ୍ଲା ପ୍ରଶାସନ ସହ ବିବାଦ ସୃଷ୍ଟି ହୋଇଥିଲା। ରାହୁଲ ତାଙ୍କ ଅନୁଗାମୀମାନଙ୍କ ସହ ପଡ଼ିଆରେ ବସି ରଘୁପତି ରାଘବ ରାଜା ରାମ ଗାଇଥିଲେ। ଅନ୍ୟ ବିଜେପି-ଶାସିତ ରାଜ୍ୟରେ ଏପରି ସମସ୍ୟା ହେଉ ନ ଥିବା ବେଳେ ଆସାମରେ କାହିଁକି? କଂଗ୍ରେସ ଓ ବିଜେପି ମଧ୍ୟରେ ଏହି ଅଭୂତପୂର୍ବ ଶତ୍ରୁତାର ମୂଳରେ ରାହୁଲ-ଶର୍ମା ଇତିହାସ ଅଛି କି? ୨୦୧୫ରେ ଶର୍ମା କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ କାରଣ ରାହୁଲ ତାଙ୍କୁ ଆସାମର ମୁଖ୍ୟମନ୍ତ୍ରୀ କରାଇଦେବାକୁ ଚାହୁ ନ ଥିଲେ। ବିଜେପିରେ ଯୋଗ ଦେବା ପରଠାରୁ ଶର୍ମା ବାରମ୍ବାର ଗାନ୍ଧି ପରିବାରକୁ ଟାର୍ଗେଟ କରିଆସୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପିଲାମାନଙ୍କ ସମେତ ଶର୍ମାଙ୍କ ପୂରା ପରିବାର ଦୁର୍ନୀତିରେ ସମ୍ପୃକ୍ତ ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଯାହାକୁ ଆସାମ ମୁଖ୍ୟମନ୍ତ୍ରୀ ଆଦୌ ଗ୍ରହଣ କରି ନ ଥିଲେ। ରାହୁଲ ଗାନ୍ଧି ପିଲାଙ୍କୁ ଟାଣିବା ଉଚିତ ନୁହେଁ। ଅନେକ କଂଗ୍ରେସ ନେତା ମଧ୍ୟ ବ୍ୟକ୍ତିଗତ ଭାବରେ ଏକମତ ଯେ ପିଲାମାନଙ୍କ ବିଷୟରେ ଉଲ୍ଲେଖ କରିବା ଭଲ ନୁହେଁ। ଶର୍ମାଙ୍କ ପୁଅ ନନ୍ଦିଲ ବେଙ୍ଗାଲୁରୁର ନ୍ୟାସନାଲ ଲ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭର୍ସିଟିରେ ଆଇନ ପଢୁଥିବା ବେଳେ ତାଙ୍କ ଝିଅ ସୁକନ୍ୟା ଜଣେ ଗଣମାଧ୍ୟମ ଛାତ୍ରୀ।