ଲିଙ୍ଗାୟତ ଦୀକ୍ଷା ନେଲେ ରାହୁଲ ଗାନ୍ଧି, କର୍ଣ୍ଣାଟକର ପ୍ରଭାବଶାଳୀ ସଂପ୍ରଦାୟରେ ସାମିଲ ହେଲେ

ବେଙ୍ଗାଲୁରୁ : କଂଗ୍ରେସ ନେତା ରାହୁଲ ଗାନ୍ଧି କର୍ଣ୍ଣାଟକର ପ୍ରସିଦ୍ଧ ଶୈବ ସଂପ୍ରଦାୟ ଲିଙ୍ଗାୟତରେ ସାମିଲ ହୋଇଛନ୍ତି । ରାହୁଲ ଏହି ସଂପ୍ରଦାୟର ବିଭିନ୍ନ ମଠ ବୁଲିବା ପରେ ମୁରୁଗା ମଠର ମହନ୍ତ ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କଠାରୁ ଇଷ୍ଟଲିଙ୍ଗ ଦୀକ୍ଷା ଗ୍ରହଣ କରିଛନ୍ତି । ଏହି ଅବସରରେ କର୍ଣ୍ଣାଟକ କଂଗ୍ରେସର ବିଭିନ୍ନ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

ଏ ସଂପର୍କରେ ଟୁଇଟ କରି ରାହୁଲ ଗାନ୍ଧି ଲେଖିଛନ୍ତି ଯେ, ଶ୍ରୀଜଗତଗୁରୁ ମୁରୁଗାରାଜେନ୍ଦ୍ର ବିଦ୍ୟାପୀଠ ପରିଦର୍ଶନ କରି ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କଠାରୁ ଇଷ୍ଟଲିଙ୍ଗ ଦୀକ୍ଷା ଗ୍ରହଣ କରିବା ଏକ ସମ୍ମାନର ବିଷୟ ।

ଆସନ୍ତା ବର୍ଷ ଅର୍ଥାତ ୨୦୨୩ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଥିବାରୁ ଲିଙ୍ଗାୟତ ସଂପ୍ରଦାୟଙ୍କୁ ଆକୃଷ୍ଟ କରିବାକୁ ରାହୁଲ ଏହି ଦୀକ୍ଷା ନେଇଥିବା କୁହାଯାଉଛି । ଲିଙ୍ଗାୟତ ସଂପ୍ରଦାୟ କର୍ଣ୍ଣାଟକରେ ଏକ ପ୍ରଭାବଶା​ଳୀ ସଂପ୍ରଦାୟ ଭାବେ ଜଣାଶୁଣା । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ୟୁଦ୍ୟୁରାପ୍ପା ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏହି ସଂପ୍ରଦାୟରୁ ଆସିଛନ୍ତି ।

୧୨ଶ ଶତାବ୍ଦୀରେ କର୍ଣ୍ଣାଟକର ପ୍ରସିଦ୍ଧ ସନ୍ଥ ତଥା ସମାଜ ସଂସ୍କାରକ ବାସବେଶ୍ବର ଏହି ଲିଙ୍ଗାୟତ ସଂପ୍ରଦାୟର ପ୍ରତିଷ୍ଠା କରିଥିଲେ । ଏହି ସଂପ୍ରଦାୟର ଲୋକମାନେ ଭଗବାନ ଶିବଙ୍କ ଆରାଧନା କରନ୍ତି । କେବଳ କର୍ଣ୍ଣାଟକ ନୁହେଁ, ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ର,ତାମିଲନାଡୁ,ଆନ୍ଧ୍ରପ୍ରଦେଶ ଓ କେରଳରେ ଏହି ସଂପ୍ରଦାୟର ଲକ୍ଷ ଲକ୍ଷ ଅନୁଗାମୀ ଅଛନ୍ତି ।

ସମ୍ବନ୍ଧିତ ଖବର