ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ନିକଟରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସାକ୍ଷାତକାର ନେଇଛନ୍ତି ଏବଂ ଏହାର ଭିଡିଓ ଆଜି ଜାରି କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ପୁଲୱାମା ଆକ୍ରମଣ, ଆଦାନି ପ୍ରସଙ୍ଗ, ମଣିପୁର ହିଂସା, ଜାତିଗତ ଜନଗଣନା ଓ ଅନ୍ୟାନ୍ୟ ବିଷୟବସ୍ତୁ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ୨୦୧୯ରେ ହୋଇଥିବା ପୁଲୱାମା ଆକ୍ରମଣ ପାଇଁ ମଲିକ ସରକାରଙ୍କ ତ୍ରୁଟି ଥିବା ଦର୍ଶାଇଛନ୍ତି। ମଲିକ କହିଛନ୍ତି, ବ୍ୟବସ୍ଥାଗତ ବିଫଳତାରୁ ୪୦ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି। ମଲିକ କହିଛନ୍ତି, ସିଆର୍ପିଏଫ୍ ୫ଟି ବିମାନ ପାଇଁ କହିଥିଲା। ଯଦି ମତେ ସେମାନେ କହିଥାନ୍ତେ ତେବେ ମୁଁ ସଠିକ୍ ସମୟରେ ଦେଇଥାନ୍ତି। ବରଫରେ ଫସିଥିବା ଛାତ୍ରଙ୍କୁ ମୁଁ ବିମାନ ଦେଇଛି। ଦିଲ୍ଲୀରୁ ବିମାନ ଭଡ଼ାରେ ଆଣିବା ସହଜ। କିନ୍ତୁ ସେମାନଙ୍କ ଆବେଦନ ଗୃହ ମନ୍ତ୍ରାଳୟରେ ୪ ମାସ ପଡ଼ି ରହିଲା। ପରେ ଏହାକୁ ପ୍ରତ୍ୟାଖ୍ୟାନ କରାଗଲା। ଫଳରେ ସିଆରପିଏଫ୍ ଯବାନମାନେ ସଡ଼କ ପଥରେ ଯିବାରୁ ଏତେବଡ଼ ଆକ୍ରମଣ ହେଲା। ମଲିକ କହିଛନ୍ତି, ସେ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ ଉଠାଇବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଚୁପ୍ ରହିବାପାଇଁ କହିଥିଲେ।
ମଲିକ କହିଛନ୍ତି, ପୁଲୱାମା ଆକ୍ରମଣ ସମୟରେ ମୁଁ ମୋଦୀଙ୍କ ସହ ଯୋଗାଯୋଗ କରିଥିଲି। ଆମର ଭୁଲ୍ ପାଇଁ ଏତେ ସଂଖ୍ୟାରେ ଯବାନ ସହିଦ ହୋଇଗଲେ ବୋଲି ମୁଁ ମୋଦୀଙ୍କୁ କହିଥିଲି। ତେବେ ଏହି କଥା କାହା ଆଗରେ ଏବଂ କେଉଁଠି ବି ନକହିବାପାଇଁ ସେ ସମୟରେ ମୋଦୀ ତାଙ୍କୁ ମନା କରିଥିଲେ ବୋଲି ମଲିକ କହିଛନ୍ତି। ଏହାପରେ ଏନ୍ଏସଏ ଅଜିତ ଡୋଭଲ ମଧ୍ୟ ମଲିକଙ୍କୁ ଫୋନ୍ କରି ଏ ସଂପର୍କରେ କେଉଁଠି ନକହିବାପାଇଁ କହିଥିଲେ ବୋଲି ସେ କହିଛନ୍ତି। ତାଙ୍କ ଟିପ୍ପଣୀ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଭାବ ପକାଇବ ବୋଲି ସେ ଭାବିଥିଲେ। କିନ୍ତୁ କୌଣସି ତଦନ୍ତ ହେଲାନାହିଁ। ନିର୍ବାଚନ ଉଦ୍ଦେଶ୍ୟରେ ଏହାର ବ୍ୟବହାର କରାଗଲା। ମଣିପୁର ପ୍ରସଙ୍ଗରେ ମଲିକ କହିଛନ୍ତି, ସରକାର ବାଧା ସୃଷ୍ଟି ନକରିବା ପର୍ଯ୍ୟନ୍ତ ମଣିପୁରରେ ସ୍ଥିତି ସ୍ବାଭାବିକ ଥିଲା। ସରକାରଙ୍କ ବିଫଳତା ପାଇଁ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଉପୁଜିଛି ବୋଲି ସେ କହିଛନ୍ତି। ମଲିକ କହିଛନ୍ତି।