ରାହୁଲ ଗାନ୍ଧି ହେଉଛନ୍ତି ନିପା ଭାଇରସ, ଏପରି ବିବାଦୀୟ ମନ୍ତବ୍ୟ ଦେଲେ ଜଣେ ବିଜେପି ନେତା

ଚଣ୍ଡିଗଡ଼ : “କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହେଉଛନ୍ତି ନିପା ଭାଇରସ” ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଜେପି ନେତା ତଥା ହରିୟାଣାର ଜଣେ କ୍ୟାବିନେଟ ମନ୍ତ୍ରୀ ଅନୀଲ ବିଜ । ସେ କହିଛନ୍ତି ଯେ ଯେପରି ନିପା ଭାଇରସ ସଂସ୍ପର୍ଶରେ ଯିଏ ଆସିଲା ସେ ଶେଷ ହୋଇଯିବ, ଠିକ ସେହିପରି ରାହୁଲଙ୍କ ସଂସ୍ପର୍ଶରେ ଯେଉଁ ଦଳ ଆସିଲା ତାହା ଲୋପ ପାଇଯିବ । ଟ୍ଵିଟ କରି ସେ ଏକଥା କହିଛନ୍ତି ।

ପୂର୍ବରୁ ମଧ୍ୟ ଅନେକ ଥର ମନଇଚ୍ଛା କଥା କହି ନିଜ ଦଳକୁ ସମସ୍ୟାରେ ପକାଇଛନ୍ତି ଏହି ମନ୍ତ୍ରୀ । ଗତ ବର୍ଷ ସେ କହିଥିଲେ ଯେ ରାହୁଲ ଗାନ୍ଧି ଘରେ ଯେଉଁ ପ୍ଲେଟରେ ନିଜ କୁକୁରକୁ ଖାଇବାକୁ ଦେଉଛନ୍ତି ତାଙ୍କ ଘରକୁ ଅତିଥି ଆସିଲେ ସେମାନଙ୍କୁ ସେହି ପ୍ଲେଟରେ ଖାଇବାକୁ ଦିଆଯାଉଛି । ଆଉ ଥରେ ସେ କହିଥିଲେ ଯେ ସହୀଦ ଭଗତ ସିଂ, ଲାଲା ଲାଜପତ ରାୟ ଦେଶ ପାଇଁ ବଳିଦାନ ଦେଇଛନ୍ତି, କିନ୍ତୁ ଗାନ୍ଧି ଓ ନେହେରୁ ଲାଠି ପାହାର ମଧ୍ୟ ଖାଇନାହାନ୍ତି । ଗତ ବର୍ଷ ସେ କହିଥିଲେ ଯେ ରାହୁଲ ଗାନ୍ଧି କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ ଭାରତ କଂଗ୍ରେସ ମୁକ୍ତ ହୋଇଯିବ । ଆଉ ଥରେ ସେ କହିଥିଲେ ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଯଦି ଭାରତ ଭଲ ଲାଗୁନି ସେ ତାହାଲେ ସମୁଦ୍ରକୁ ଡେଇଁ ପଡନ୍ତୁ । କେରଳରେ ନିପା ଭାଇରସ ସଂକ୍ରମଣରେ ଏପର୍ଯ୍ୟନ୍ତ ୧୩ ଜଣ ମୃତ୍ୟୁବରଣ କରିସାରିଲେଣି ।

ସମ୍ବନ୍ଧିତ ଖବର