ନୂଆଦିଲ୍ଲୀ: ରାୟବରେଲିର ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସର୍ବଦା ତାଙ୍କ ବକ୍ତବ୍ୟ ପାଇଁ ଉଭୟ ଚର୍ଚ୍ଚା ଓ ସମାଲୋଚନାନ ପରିସରରେ ରହିଥାଆନ୍ତି। ରାହୁଲ ଗାନ୍ଧୀ ୧୯୭୦ ଜୁନ ୧୯ତାରିଖରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଦେଶର ସବୁଠାରୁ ପ୍ରଭାବଶାଳୀ ରାଜନୈତିକ ପରିବାରରେ ରାହୁଲଙ୍କ ପିଲାଦିନ ବିତିଥିଲା।
ରାହୁଲଙ୍କ ଶିକ୍ଷା ବିଷୟରେ କହିବାକୁ ଗଲେ ସେ ଦିଲ୍ଲୀ ଏବଂ ଡେରାଡୁନରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ସେ ଆମେରିକା ଏବଂ ଇଂଲଣ୍ଡର ଅନେକ ପ୍ରତିଷ୍ଠିତ ପ୍ରତିଷ୍ଠାନରେ ନାମ ଲେଖାଇ ନିଜର ଅଧ୍ୟୟନ ପୂରା କରିଥିଲେ।
ରାହୁଲ ଗାନ୍ଧୀ ତାଙ୍କ ପିଲାଦିନରେ ତାଙ୍କ ଜେଜେମା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଖୁବ ନିକଟତର ଥିଲେ। ଇନ୍ଦିରା ଗାନ୍ଧୀଙ୍କ ସହିତ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ନିକଟରେ ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଇନ୍ଦିରା ଗାନ୍ଧୀ ରାହୁଲଙ୍କୁ ଖୁବ ସ୍ନେହ କରୁଥିବା ଦେଖିବାକୁ ମିଳୁଛି।
ବାପା ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯିବା ସମୟରେ ରାହୁଲ ଗାନ୍ଧୀ ପ୍ରାୟ ୨୧ ବର୍ଷ ବୟସର ଥିଲେ। ସେ ସମୟ ତାଙ୍କ ଜୀବନର ସବୁଠାରୁ କଷ୍ଟକର ସମୟ ଥିଲା ବୋଲି ଅନେକ ସାକ୍ଷାତକାରେ ରାହୁଲ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି।ପାଠପଢ଼ା ଶେଷ କରିବା ପରେ ରାହୁଲ କର୍ପୋରେଟ୍ କ୍ଷେତ୍ରରେ କାମ କରିଥିଲେ। ୨୦୦୪ ମସିହାରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଆମେଥିରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ। ଏହାପର ଠାରୁ ରାହୁଲ ଗାନ୍ଧୀଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା।