ନାଥୁରାମ ଗଡ଼ସେ ଏବଂ ନରେନ୍ଦ୍ର ମୋଦୀ ଏକା ଆଦର୍ଶରେ ବିଶ୍ୱାସ କରନ୍ତି: ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ଏକା ଆଦର୍ଶରେ ବିଶ୍ୱାସ କରିନ୍ତି କହି କଂଗ୍ରେସ ନେତା ରାହୁଳ ଗାନ୍ଧୀ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଦୁଇ ଦିନିଆ ଗସ୍ତରେ ଯାଇ ନିଜ ନିର୍ବାଚନ ମଣ୍ଡଳୀ କେରଳର ଓ୍ଵାୟନାଡ଼ ଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ରାହୁଳ ଗାନ୍ଧୀ କହିଲେ, ନାଥୁରାମ ଗଡ଼ସେ ଏବଂ ନରେନ୍ଦ୍ର ମୋଦୀ ଏକା ଆଦର୍ଶରେ ବିଶ୍ୱାସ କରନ୍ତି। ସେମାନଙ୍କ ମଧ୍ୟରେ କୌଣସି ଫରକ ନାହିଁ। ଫରକ ଏତିକି ଯେ ଗଡ଼ସେଙ୍କୁ ବିଶ୍ୱାସ କରୁଛନ୍ତି ବୋଲି କହିବା ପାଇଁ ମୋଦୀଙ୍କର ବହପ ନାହିଁ।

ସେ ଆହୁରି କହିଲେ, ନାଥୁରାମ ଗଡ଼ସେ ମହାତ୍ମା ଗାନ୍ଧୀଙ୍କୁ ଗୁଳି ମାରିଲେ, କାରଣ ତାଙ୍କର ନିଜ ଉପରେ ବିଶ୍ୱାସ ନ ଥିଲା, ସେ କାହାରିକୁ ସ୍ନେହ କରୁ ନ ଥିଲେ, କାହାରି ପ୍ରତି ତାଙ୍କର ପର୍‌ଓ୍ଵା ନ ଥିଲା, ସେ କାହାକୁ ବିଶ୍ୱାସ କରୁ ନ ଥିଲେ। ଏବଂ ଆମ ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ବି ସେଇ ଏକା ପ୍ରକାରର କଥା, ସେ କେବଳ ନିଜକୁ ଭଲ ପାଆନ୍ତି, କେବଳ ନିଜକୁ ବିଶ୍ୱାସ କରନ୍ତି।

Image Source: India Todya

‘ସିଏଏ’ ଓ ‘ଏନ୍‌ଆର୍‌ସି’ ପ୍ରସଙ୍ଗରେ ବି ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି: ‘ସିଏଏ’ ଓ ‘ଏନ୍‌ଆର୍‌ସି’ମାନେ ଭାରତରେ କର୍ମସଂସ୍ଥାନ ପାଇବେ ନାହିଁ। କଶ୍ମୀର ସ୍ଥିତି ମଧ୍ୟ କର୍ମସଂସ୍ଥାନ ଯୋଗାଇବ ନାହିଁ। ଜ୍ୱଳନ୍ତ ଆସାମ ମଧ୍ୟ ଆମ ଯୁବ ସମ୍ପ୍ରଦାୟଙ୍କୁ କର୍ମସଂସ୍ଥାନ ଯୋଗାଇବ ନାହିଁ।

ଗତ ୪୫ ବର୍ଷ ମଧ୍ୟରେ ଏବେ ଦୁଷ୍କର୍ମ ଏବଂ ବେକାରୀ ସର୍ବାଧିକ ହୋଇଥିବା ବେଳେ ଯୁବସମ୍ପ୍ରଦାୟ ଭବିଷ୍ୟତ ଦେଖି ପାରୁ ନାହାନ୍ତି। ଏ ଦେଶର ନାଗରିକ ବୋଲି ଭାତୀୟମାନଙ୍କୁ ପ୍ରମାଣ କରିବାକୁ କୁହାଯାଉଛି। ମୁଁ ଭାରତୀୟ କି, ନୁହେଁ, ନିଷ୍ପତ୍ତି ନେବାକୁ ନରେନ୍ଦ୍ର ମୋଦୀ କିଏ? କିଏ ଭାରତୀୟ, କିଏ ଭାରତୀୟ ନୁହନ୍ତି? ଏ କଥା ସ୍ଥିର କରିବାକୁ ନରେନ୍ଦ୍ର ମୋଦୀଙ୍କୁ କିଏ ଲାଇସେନ୍‌ସ୍‌ ଦେଲା? ମୁଁ ଜାଣେ ମୁଁ ଜଣେ ଭାରତୀୟ। ଏ କଥା ମୋତେ କାହା ପାଖରେ ପ୍ରମାଣିତ କରିବାକୁ ପଡ଼ିବ ନାହିଁ।

ରାଲିରେ ଯୋଗ ଦେବା ପୂର୍ବରୁ ସେ ‘ସମ୍ବିଧାନ ବଞ୍ଚାଅ ପଦଯାତ୍ରା’ରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର