ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ ବୋଲି କୁହାଯାଉଥିବା ଗୁଜରାଟକୁ ହାତେଇବା ପାଇଁ ଆପ୍ ଏବଂ କଂଗ୍ରେସ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୁଜରାଟବାସୀଙ୍କୁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦେଇ କ୍ଷମତା ହାତେଇବାକୁ ଚେଷ୍ଟା କରୁଛନ୍ତି ଏହି ଦୁଇ ଦଳ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁଜରାଟରେ କ୍ଷମତାକୁ ଆସିଲେ, ରାଜ୍ୟର ପ୍ରତ୍ୟେକ ଚାଷୀଙ୍କ ପାଇଁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବର୍ତ୍ତମାନ ୧୦୦୦ଟଙ୍କାରେ ଏଲପିଜି ମିଳୁଥିବା ବେଳେ କଂଗ୍ରେସ କ୍ଷମତାକୁ ଆସିଲେ ଏଲପିଜି ସିଲିଣ୍ଡର ୫୦୦ଟଙ୍କାରେ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ। ଏହା ସହ ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଏବଂ ସାଧାରଣ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇବାକୁ ରାହୁଲ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଅହମଦାବାଦର ସାବରମତି ନଦୀ କୂଳରେ ଥିବା 'ପରିବର୍ତ୍ତନ ସଂକଳ୍ପ ରାଲି'ରେ କଂଗ୍ରେସର ବୁଥ ସ୍ତରର କର୍ମୀଙ୍କୁ ସମ୍ବୋଧିତ କରି ଗାନ୍ଧୀ ଗୁଜରାଟର ଲୋକଙ୍କୁ ଏଭଳି ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତ ବର୍ଷ ଶେଷରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେ ସକ୍ରିୟ ହୋଇଛି କଂଗ୍ରେସ।
କ୍ଷମତାକୁ ଆସିଲେ କଂଗ୍ରେସ ୧୦ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି, ୩୦୦୦ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିର୍ମାଣ, ବାଳିକାମାନଙ୍କ ପାଇଁ ମାଗଣା ଶିକ୍ଷା ଏବଂ ଦୁଗ୍ଧ ଉତ୍ପାଦନକାରୀଙ୍କୁ ଲିଟର ପିଛା ୫ଟଙ୍କା ସବସିଡି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ। ଗାନ୍ଧୀ କହିଛନ୍ତି ଯେ ଗୁଜୁରାଟରେ ନିଯୁକ୍ତି ଉପରେ କଂଗ୍ରେସ ଧ୍ୟାନ ଦେବ ଏବଂ ୧୦ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବ।