ସଂସଦ ସଦସ୍ୟତା ହରାଇ ପାରନ୍ତି ରାହୁଲ: ଦଣ୍ଡାଦେଶ ଉପରେ ରୋକ୍‌ ଲାଗିଲେ ଆଶ୍ବସ୍ତି ମିଳିବ

‘ଆପଣା ହସ୍ତେ ଜିହ୍ବା ଛେଦି’; ୨୦୧୩ରେ ଅଯୋଗ୍ୟ ଘୋଷଣାରୁ ୩ ମାସର ସୁରକ୍ଷା ଅଧ୍ୟାଦେଶକୁ ଚିରିଥିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ଅପରାଧିକ ମାନହାନି ମାମଲାରେ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହେବା କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛି। ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ରାହୁଲ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଭାବେ ତାଙ୍କ ସଂସଦ ସଦସ୍ୟତା ହରାଇ ପାରନ୍ତି। ରାହୁଲ ଲୋକସଭାରୁ ଅଯୋଗ୍ୟ ଘୋଷିତ ହୋଇପାରନ୍ତି। ଜନ ପ୍ରତିନିଧି ଆଇନ ଅନୁଯାୟୀ କୌଣସି ସଦସ୍ୟ ଯଦି ୨ କିମ୍ବା ୨ ବର୍ଷରୁ ଅଧିକ ସମୟ ପାଇଁ ଜେଲ୍‌ଦଣ୍ଡ ପାଆନ୍ତି ତେବେ ତାଙ୍କୁ ଦଣ୍ଡାଦେଶ ସମୟ ପର୍ଯ୍ୟନ୍ତ ଏବଂ ପରେ ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯିବ। କିନ୍ତୁ ଏହି ଆଇନରେ ସଂସଦର ବର୍ତ୍ତମାନର ସଦସ୍ୟଙ୍କ ପାଇଁ ଅନ୍ୟ ଏକ ବ୍ୟବସ୍ଥା ରହିଛି। ସମ୍ପୃକ୍ତ ସାଂସଦଙ୍କ ଆବେଦନ ଉପରେ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବନି। ଇତିମଧ୍ୟରେ କଂଗ୍ରେସ ଆଜି କହିଛି, ସୁରଟ କୋର୍ଟଙ୍କ ରା‌ୟ ବିରୋଧରେ ହାଇକୋର୍ଟରେ ଆବେଦନ କରାଯିବ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଲୋକସଭା ସଚିବ ସୁରଟ ‌କୋର୍ଟଙ୍କ ରାୟ ଆଧାରରେ ରାହୁଲଙ୍କୁ ଅଯୋଗ୍ୟ ଘୋଷଣା କରିପାରନ୍ତି। ଇତିମଧ୍ୟରେ ସୁପ୍ରିମକୋର୍ଟ ଆଇନଜୀବୀ ବିନୀତ ଜିନ୍ଦଲ ଆଜି ଲୋକସଭା ବାଚସ୍ପତିଙ୍କ ନିକଟରେ ଏକ ଅଭିଯୋଗ ଦାଏର କରିଛନ୍ତି। ରାହୁଲଙ୍କ ସଦସ୍ୟତା ରଦ୍ଦ କରିବାପାଇଁ ସେ ଦାବି କରିଛନ୍ତି। ତେବେ ରାହ‌ୁଲଙ୍କ ଦଣ୍ଡାଦେଶ ଉପରେ ଯଦି ରୋକ୍‌ ଲାଗିବ ତେବେ ତାଙ୍କୁ ସଂସଦ ସଦସ୍ୟତାରୁ ଅଯୋଗ୍ୟ ଘୋଷଣା କରାଯିବନି ବୋଲି ଆଇନ ବିଶେଷଜ୍ଞମାନେ କହିଛନ୍ତି।

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ତାଙ୍କ ସାଂସଦ ପଦ ସଙ୍ଗେ ସଙ୍ଗେ ଯିବ ନାହିଁ, ଉପର କୋର୍ଟରେ ଅପିଲ କରିବା ପାଇଁ ତାଙ୍କ ହାତରେ ଏକମାସ ସମୟ ଅଛି। ତାଙ୍କ ଲିଗାଲ ଟିମ୍ ଏ ବାବଦରେ ପଦକ୍ଷେପ ନେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ସୁରଟ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି। ତେବେ ତାଙ୍କୁ ଉପର କୋର୍ଟରେ ଅପିଲ କରିବା ପାଇଁ ୩୦ ଦିନର ମହଲତ ଦେଇଛନ୍ତି। ଲିଲି ଟମାସ ବନାମ କେନ୍ଦ୍ର ସରକାର ମାମଲାର ପୂର୍ବ ନଜିର ଆଧାରରେ ତାଙ୍କର ସାଂସଦ ପଦ ବି ସେତିକି ଦିନ ଯାଏ କଟିବ ନାହିଁ। କିନ୍ତୁ ସୁପ୍ରିମ୍‌କୋର୍ଟଙ୍କ ପୂର୍ବ ରାୟ ଅନୁସାରେ ଯଦି ଜଣେ ସାଂସଦ ଦୋଷୀ ସାବ୍ୟସ୍ତ ହୋଇ ଅତି କମ୍‌ରେ ଦୁଇବର୍ଷର ଜେଲଦଣ୍ଡାଦେଶ ପାଆନ୍ତି, ତେବେ ସେ ତାଙ୍କ ସଦସ୍ୟତା ତତ୍କାଳ ହରାଇବା କଥା। ୨୦୧୩ ମସିହାରେ କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ଦୋଷୀ ସାଂସଦମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଧ୍ୟାଦେଶ ଆଣିଥିଲେ, ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେବା ପରେ ସାଂସଦମାନଙ୍କୁ ତିନି ମାସର ମହଲତ ମିଳିଥାନ୍ତା।

‌ସେତିକି ଦିନ ଯାଏ ତାଙ୍କର ସଦସ୍ୟତା ଯାଇ ନ ଥାନ୍ତା ଓ ତା’ ଭିତରେ ସେ ଉପର କୋର୍ଟରେ ଅପିଲ କରିପାରିଥାନ୍ତେ। କିନ୍ତୁ ସେତେବେଳେ ରାହୁଲ ଗାନ୍ଧି ‘ଅତ୍ୟନ୍ତ ନନ୍‌ସେନ୍ସ’ କହି ଉକ୍ତ ଅଧ୍ୟାଦେଶ କାଗଜକୁ ସାମ୍ବାଦିକ ସମ୍ମିଳନୀରେ ଚିରିଦେଇଥିଲେ। ଏଭଳି କାଣ୍ଡ ପରେ ଉକ୍ତ ଅଧ୍ୟାଦେଶ କାର୍ଯ୍ୟକାରୀ ହୋଇ ପାରିନଥିଲା। ବର୍ତ୍ତମାନ ଯଦି ଉକ୍ତ ଅଧ୍ୟାଦେଶ ଆଇନରେ ପରିଣତ ହୋଇଥାନ୍ତା ତେବେ ରାହୁଲଙ୍କୁ ୧ ମାସ ବଦଳରେ ୩ ମାସର ମହଲତ ମିଳିଥାନ୍ତା। କଥାରେ ଅଛି ‘ଆପଣା ହସ୍ତେ ଜିହ୍ବା ଛେଦି, କେ ତା’ର ଅଛି ପ୍ରତିବାଦୀ?’ ବର୍ତ୍ତମାନ ରାହୁଲଙ୍କ ହାତରେ ୩୦ ଦିନ ସମୟ ଅଛି, ଯାହା ଭିତରେ ସେ ଉପର କୋର୍ଟକୁ ଯାଇ ଉକ୍ତ ସୁରଟ କୋର୍ଟଙ୍କ ରାୟ ବିରୋଧରେ ଅପିଲ କରିପାରିବେ। ଉପର କୋର୍ଟ ବା ହାଇକୋର୍ଟ ଯଦି ରାହୁଲଙ୍କ ସପକ୍ଷରେ ସୁରତ କୋର୍ଟର ଆଦେଶ ଉପରେ ସ୍ଥଗିତାଦେଶ ଜାରି କରନ୍ତି, ତେବେ ରାହୁଲଙ୍କ ସଦସ୍ୟତା ବଳବତ୍ତର ରହିବ। ନ ହେଲେ ଏକମାସ ପରେ ସେ ତାଙ୍କର ସଦସ୍ୟତା ହରାଇବେ ଓ ଜେଲ ଯିବେ।

ସୂଚନାଯୋଗ୍ୟ, ମୋଦୀ ଉପନାମ (ସାଙ୍ଗିଆ)କୁ ନେଇ ୨୦୧୯ରେ କର୍ଣ୍ଣାଟକର କୋଲାରଠାରେ ଏକ ରୢାଲିରେ ରାହୁଲ ଗାନ୍ଧି ଏକ ଅପମାନଜନକ ମନ୍ତବ୍ୟ (ସବୁଯାକ ମୋଦୀ ସାଂଜ୍ଞାଧାରୀ ହେଉଛନ୍ତି ଚୋର) ଦେଇଥିଲେ, ଯାହାକୁ ନେଇ ତାଙ୍କ ବିରୋଧରେ ଆପରାଧିକ ମାନହାନି ମାମଲା ରୁଜୁ ହୋଇଥିଲା।

ରାହୁଲଙ୍କ ପାଖରେ ଆଇନଗତ ବିକଳ୍ପ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ଏକ ଅପରାଧିକ ମାନହାନି ମାମଲାରେ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିବାରୁ ତାଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇପାରେ ବୋଲି କୁହାଯାଉଛି। ତେବେ ରାହୁଲଙ୍କୁ ଆଜି କୋର୍ଟ ୩୦ ଦିନର ଜାମିନ ପ୍ରଦାନ କରି ଆଶ୍ବସ୍ତ କରିଛନ୍ତି। ରାହୁଲଙ୍କ ପାଖରେ ଅନେକ ଆଇନଗତ ବିକଳ୍ପ ମଧ୍ୟ ରହିଛି। ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଧ୍ରା କହିଛନ୍ତି, ରାହୁଲ ତାଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବାପାଇଁ କୋର୍ଟରେ ଆବେଦନ କରିପାରିବେ।

ସିଆରପିସି (କୋଡ୍‌ ଅଫ୍‌ କ୍ରିମିନାଲ ପ୍ରୋସିଜିଓର)ରେ ଥିବା ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ ଦଣ୍ଡା‌ଦେଶକୁ ଉଚ୍ଚ ଅଦାଲତରେ ଚ୍ୟାଲେଂଜ କରିହେବ।
ସିଆରପିସିର ଧାରା ୩୭୪ରେ ଥିବା ବ୍ୟବସ୍ଥା ଅନୁଯାୟୀ ଦଣ୍ଡାଦେଶ ବିରୋଧରେ ଆବେଦନ କରିହେବ। ତେଣୁ ରାହୁଲ ଗାନ୍ଧି ତାଙ୍କ ଦଣ୍ଡାଦେଶକୁ ‌କୋର୍ଟ‌ରେ ଚ୍ୟାଲେଂଜ କରିପାରିବେ ଯଦି ସେସନ୍ସ କୋର୍ଟରୁ କୌଣସି ଆଶ୍ବସ୍ତି ମିଳିଲାନି ତେବେ ପରବର୍ତ୍ତୀ ପଦ‌କ୍ଷେପ ହେଉଛି ଉଚ୍ଚ ଅଦାଲତରେ ଆବେଦନ କରିବା। ସେସନ୍ସ କୋର୍ଟ ରାୟକୁ ହାଇକୋର୍ଟରେ ଚ୍ୟାଲେଂଜ କରିହେବ।

କୋର୍ଟରେ ଏହି ସବୁ ମାମଲା ବିଚାରାଧୀନ ଥିବା ବେଳେ ରାହୁଲ ମଧ୍ୟ ତାଙ୍କ ଦଣ୍ଡାଦେଶ ଏବଂ ଜାମିନ ଉପରେ ଅନ୍ତରୀଣ ରହିତାଦେଶ ଲଗାଇବାପାଇଁ ଆବେଦନ କରିପାରିବେ। ସିଆରପିସିର ଧାରା ୩୮୯ ଅନୁଯାୟୀ ଆବେଦନକାରୀ ଦଣ୍ଡାଦେଶକୁ ସ୍ଥଗିତ ରଖିବାପାଇଁ ଆବେଦନ କରିପାରିବେ।
ସମ୍ବିଧାନର ଧାରା ୧୩୬ ଅଧୀନରେ ରାହୁଲ ଗାନ୍ଧି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ‌ ମଧ୍ୟ ହୋଇପାରିବେ।

ଦଣ୍ଡାଦେଶ ଦେବାବେଳେ କୋର୍ଟ କ’ଣ କହିଲେ
ଅହମଦାବାଦ: ରାହୁଲ ଗାନ୍ଧିଙ୍କୁ ଦଣ୍ଡାଦେଶ ଶୁଣାଇବାବେଳେ ଆଜି ସୁରଟ୍‌ କୋର୍ଟ କିଛି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି। କୋର୍ଟ କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କର ବିବାଦୀୟ ବୟାନ ପାଇଁ ସତର୍କ କରାଇଥିଲେ। ନିଜର ଟିପ୍ପଣୀ ସଂକ୍ରାନ୍ତରେ ସତର୍କ ରହିବାପାଇଁ ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ ସତ୍ତ୍ବେ ତାଙ୍କ ଆଚରଣରେ କିଛି ପରିବର୍ତ୍ତନ ହେଲାନାହିଁ। ରାହୁଲ ଗାନ୍ଧି ଜଣେ ସାଂସଦ। ତେଣୁ ସାଂସଦ ଭାବେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବାବେଳେ ସେ ନିଶ୍ଚିତ ଭାବେ ଧ୍ୟାନ ରଖିବା ଉଚିତ। ସାଂସଦଙ୍କର ଟିପ୍ପଣୀ ଅତି ବ୍ୟାପକ ପ୍ରଭାବ ପକାଇଥାଏ। ତେଣୁ ଏଥିପାଇଁ ରାହୁଲଙ୍କ ଅପରାଧ ଅତି ଗୁରୁତର ହୋଇଛି। କୋର୍ଟ କହିଛନ୍ତି ଯେ ଏହି ମାମଲାରେ କମ୍‌ ଦଣ୍ଡ ଜନସାଧାରଣଙ୍କୁ ଏକ ଭୁଲ୍‌ ବାର୍ତ୍ତା ଦେବ। ତେଣୁ ମାନହାନିର ଉଦ୍ଦେଶ୍ୟ ହାସଲ ହୋଇପାରିବ ନାହିଁ। ଆଜି ରାୟ ଶୁଣାଣି ସମୟରେ ରାହୁଲ କହିଥିଲେ ଯେ ସେ ଜାଣିଶୁଣି ଏଭଳି ଭୁଲ୍‌ କରିନାହାନ୍ତି ଏବଂ ଦୁର୍ନୀତି ବିରୋଧରେ ସର୍ବଦା ସ୍ବର ଉତ୍ତୋଳନ କରିଆସିଛନ୍ତି। ମୋଦୀ ସାଙ୍ଗିଆକୁ ନେଇ ତାଙ୍କ ବୟାନ ଉଦ୍ଦେଶ୍ୟମୂଳକ ନଥିଲା ବୋଲି ସେ କହିଛନ୍ତି।

ପ୍ରତିକ୍ରିୟା

ମଲ୍ଲିକାର୍ଜୁନ ଖଡ଼ଗେ (କଂଗ୍ରେସ ସଭାପତି ) : ରାହୁଲଙ୍କ ବିରୋଧରେ ହୋଇଥିବା ଦଣ୍ଡାଦେଶ ବିରୋଧରେ ଆମେ ଉଚ୍ଚ ଅଦାଲତରେ ଆବେଦନ କରିବୁ। ରାହୁଲ ଏବଂ ବିରୋଧୀ ସଦସ୍ୟମାନେ ଜେପିସି ତଦନ୍ତ ଦାବି କରିଥିବାରୁ ଭୀରୁ ଏବଂ ଏକଛତ୍ରବାଦୀ ବିଜେପି ସରକାର ହତୋତ୍ସାହ ହୋଇପଡ଼ିଛି। ମୋଦୀ ସରକାର ରାଜନୈତିକ ସ୍ତରରେ ଦେବାଳିଆ ହୋଇଯାଇଛନ୍ତି। ଏଥିପାଇଁ ଏହା ଇଡି ଏବଂ ପୁଲିସକୁ ପଠାଉଛି ଏବଂ ଭାଷଣ ବିରୋଧରେ ମାମଲା ରୁଜୁ କରୁଛି।
8ରାଜନାଥ ସିଂହ (ପ୍ରତିରକ୍ଷା ମନ୍ତ୍ରୀ): କଂଗ୍ରେସ ନେତା ରାହୁଲ ଗାନ୍ଧି ସୁରଟ କୋର୍ଟଙ୍କ ରାୟକୁ ଏକ ଶିକ୍ଷା ଭାବେ ଗ୍ରହଣ କରିବା ଉଚିତ। ଶବ୍ଦ ଗୁଡ଼ିକ ଅସ୍ତ୍ରଠାରୁ ବି ଅଧିକ ଭୟଙ୍କର ବୋଲି ରାହୁଲ ସ୍ବୀକାର କରିବା ଉଚିତ। ଆମେମାମେ ସମସ୍ତେ ଏଥିରୁ ଶିକ୍ଷା ଗ୍ରହଣ କରିବା ଉଚିତ ଯେ ଆମେ ସର୍ବସାଧାରଣରେ କିଛି ମତ ରଖୁଥିବାବେଳେ ଆମେ ଆମ ସୀମା ନଟପିବା ଉଚିତ।
8ରବି ଶଙ୍କର ପ୍ରସାଦ (ପୂର୍ବତନ ଆଇନ ମନ୍ତ୍ରୀ) : ରାହୁଲ ଗାନ୍ଧି ମୋଦୀ ସାଙ୍ଗିଆ ଟିପ୍ପଣୀ ଦ୍ବାରା ଲୋକମାନଙ୍କୁ ଅପମାନିତ କରିଛନ୍ତି। ଏହା ଅତ୍ୟନ୍ତ ଅପମାନଜନକ। କଂଗ୍ରେସ ରାହୁଲଙ୍କୁ ଲୋକମାନଙ୍କୁ ଅପମାନିତ କରିବା ପାଇ
ରାହୁଲ ଗାନ୍ଧିଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇଛି ବୋଲି ରବିଶଙ୍କର ପ୍ରଶ୍ନ କରିଛନ୍ତି।
8କିରେନ ରିଜିଜୁ (ଆଇନ ମନ୍ତ୍ରୀ) : ପୂର୍ବତନ କଂଗ୍ରେସ ମୁଖ୍ୟ ଯାହା ବି କହୁଛନ୍ତି ତାହା କଂଗ୍ରେସ ଦଳ ଏବଂ ସମଗ୍ର ଦେଶକୁ ଅତି ନକରାତ୍ମକ ଭ‌ାବେ ପ୍ରଭାବିତ କରୁଛି। ରାହୁଲ ସର୍ବଦା ତାଙ୍କ ବୟାନ ଦ୍ବାରା ବିଭେଦ, ଘୃଣା ଓ ବିଭ୍ରାନ୍ତି ବଢ଼ାଉଛନ୍ତି।

ସମ୍ବନ୍ଧିତ ଖବର