ନୂଆଦିଲ୍ଲୀ: ଜରୁରୀକାଳୀନ ଅବତରଣ କଲା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ନେଇ ଦିଲ୍ଲୀ ଫେରୁଥିବା ବିମାନ। ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକରେ ଅଂଶଗ୍ରହଣ କରିବା ପରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ବିମାନଟି ଦିଲ୍ଲୀ ଫେରୁଥିବା ବେଳେ  ଜରୁରୀକାଳୀନ ଅବତରଣ କରିଥିବା ଜଣାପଡ଼ିଛି। ବୈଷୟିକ ତ୍ରୁଟି ହେତୁ ଭୋପାଳର ରାଜା ଭୋଜ ବିମାନବନ୍ଦରରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି। କୁହାଯାଉଛି ଯେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଏକ ଚାର୍ଟାର୍ଡ ​​ବିମାନରେ ବେଙ୍ଗାଲୁରୁରୁ ଦିଲ୍ଲୀ ଆସୁଥିଲେ।

Advertisment

କୁହାଯାଉଛି ଯେ, ରାଜା ଭୋଜ ବିମାନବନ୍ଦରରେ ବିମାନର ଜରୁରୀକାଳୀନ ଅବତରଣ ପରେ ଏବେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଇଣ୍ଡିଗୋ ଏୟାରଲାଇନ୍ସ ବିମାନ ଯୋଗେ ଦିଲ୍ଲୀ ଫେରିବେ।

ମଙ୍ଗଳବାର ବେଙ୍ଗାଲୁରୁରେ ବିରୋଧୀ ଦଳର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ୨୬ଟି ବିରୋଧୀ ଦଳ ମିଳିତ ଭାବେ ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରାଟିକ ଇନ୍କଲୁସିଭ ଆଲାଏନ୍ସ (INDIA) ନାମରେ ଏକ ମିଳିତ ମଞ୍ଚ ଗଠନ କରିବାକୁ ଘୋଷଣା କରିଛନ୍ତି। ବିରୋଧୀ ଦଳର ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ ଆମର ଏକତା ଦେଖି ମୋଦୀ ଜି ୩୦ଟି ଦଳର ବୈଠକ ଡାକିଛନ୍ତି। ପ୍ରଥମେ ମୋଦୀ ଜି ମେଣ୍ଟ ନେଇ କୌଣସି କଥା କରୁନଥିଲେ। ଅନ୍ୟପଟେ ରାହୁଲ ଗାନ୍ଧୀ କହିଥିଲେ ଯେ ଏବେ ଏନଡିଏ ଏବଂ ଇଣ୍ଡିଆ ମଧ୍ୟରେ ଲଢେଇ ହେବ।