ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ବଢ଼ିଲା ସୋନିଆ, ରାହୁଲଙ୍କ ପାଇଁ ଅଡୁଆ । ମାମଲା ସମ୍ବନ୍ଧିତ ଚାର୍ଜସିଟରେ ସାମ ପିଟ୍ରୋଦାଙ୍କ ସହ ସୋନିଆ ଓ ରାହୁଲଙ୍କ ନାଁ ରହିଛି । ଆଜି ଏନେଇ ରାଉଜ ଏଭିନ୍ୟୁ କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟରେ କଂଗ୍ରେସର ଏହି ତିନିଜଣ ବରିଷ୍ଠ ନେତାଙ୍କ ସହ ଆଉ କିଛି ଜଣଙ୍କ ନାଁ ରହିଛି । ଏପ୍ରିଲ ୨୫ରେ କୋର୍ଟ ଚାର୍ଜସିଟ ଉପରେ ଶୁଣାଣି କରିବେ । ପ୍ରଥମଥର ପାଇଁ ନ୍ୟାସନାଲ ହେରାଲ୍ଡ ମାମଲାରେ ଏମାନଙ୍କ ନାଁ ଚାର୍ଜସିଟରେ ଉଲ୍ଲେଖ କରିଛି ଇଡି । ନିକଟରେ ଏଜେଲର ୮ଶହ କୋଟି ମୂଲ୍ୟର ସମ୍ପତ୍ତିକୁ ଜବତ କରିବା ପରେ ଇଡିର ଏହା ବଡ କାର୍ଯ୍ୟାନୁଷ୍ଠାନ । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଦଳ। ଚାର୍ଜସିଟ ଦାଖଲକୁ ରାଜନୈତିକ ପ୍ରତିଶୋଧନ ନାଁ ଦେଇଛନ୍ତି ବରିଷ୍ଠ ନେତା ଜୟରାମ ରମେଶ । 

Advertisment

ତେବେ ଏହାର ଜବାବ ଦିଆଯିବ ବୋଲି ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଜୟରାମ । ଚାର୍ଜସିଟ ପରେ ରାଜନୈତିକ ବୟାନ ବାଜି ତେଜିଛି । କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଛନ୍ତି । ୨୦୧୨ରେ ସୁବ୍ରମଣ୍ୟମ ସ୍ବାମୀ ଟ୍ରାଏଲ କୋର୍ଟରେ ଏକ  ମାମଲା ଦାୟର କରିଥିଲେ । ଏଥିରେ ବେଆଇନ ଭାବେ ଆସୋସିଏଟେଡ୍‌ ଜର୍ଣ୍ଣାଲ ଲିମିଟେଡ, ଏଜେଏଲକୁ ୟଙ୍ଗ ଇିଣ୍ଡିଆ ଲିମିଟେଡ ଅଧିଗ୍ରହଣ କରିଥିବା ଅଭିଯୋଗ । ୨ ହଜାର କୋଟି ସମ୍ପତ୍ତି ହଡପ ପାଇଁ ଯୋଜନା ହୋଇଥିବା ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ହୋଇଥିଲା  । ୨୦୨୧ରେ ତଦନ୍ତ ଆରମ୍ଭ କରିଥିଲା ଇଡି ।

ସେପଟେ ଏହି ପ୍ରସଙ୍ଗକୁ ନେଇ ଆଜି ଦେଶବ୍ୟାପୀ ପ୍ରତିବାଦକୁ ଓହ୍ଲାଇବ କଂଗ୍ରେସ । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଇଡ଼ି ଅଫିସ ଘେରାଉ କରାଯିବା ସହ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଏନେଇ ଦଳର ସମସ୍ତ ନେତୃବୃନ୍ଦଙ୍କ ସମେତ ଜିଲ୍ଲା କମିଟି ଓ କର୍ମୀଙ୍କୁ ଆହ୍ୱାନ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ୍ । ବର୍ତ୍ତମାନ ଦେଶରେ ଦୁର୍ନୀତି ଓ ଭଷ୍ଟ୍ରାଚାର ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତ୍ରୀବ ହେଉଛି, ଏହି ସ୍ୱରକୁ ଚାପିବାକୁ କେନ୍ଦ୍ରର ମୋଦୀ ସରକାର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ନ୍ୟାସନାଲ ହେରାଲ୍ଡ ମାମଲାକୁ ଅସ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି ।