କୃଷି ପ୍ରସଙ୍ଗରେ ରାହୁଲ-ରାଜନାଥ ମୁହାଁମୁହିଁ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ୧୭ ତମ ଲୋକସଭାରେ ତାଙ୍କ ପ୍ରଥମ ଅଭିଭାଷଣ ରଖିଛନ୍ତି। ପ୍ରଥମ ଅଭିଭାଷଣରେ ରାହୁଲ ଆଜି ୱାୟନାଡ଼ ବିଷୟରେ କହିବା ସହ କୃଷକମାନଙ୍କ ସମସ୍ୟା ବିଷୟରେ ମତ ରଖିଥିଲେ। ଦେଶରେ କୃଷକମାନଙ୍କ ଅବସ୍ଥା ଅତି ଭୟଙ୍କର ରହିଛି ବୋଲି ରାହୁଲ ଆଜି ଲୋକସଭାର ଶୂନ୍ୟକାଳରେ କହିଛନ୍ତି। ରାହୁଲ କେରଳରେ ଏବଂ ବିଶେଷ କରି ୱାୟନାଡ଼ରେ କୃଷକମାନଙ୍କ ସମସ୍ୟା ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। ଦେଶରେ କୃଷକମାନଙ୍କ ସ୍ଥିତି ଅତି ଭୟଙ୍କର ଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି। ୨୦୧୯ କେନ୍ଦ୍ର ବଜେଟ୍‌ରେ କୃଷକମାନଙ୍କ ଲାଭ ପାଇଁ ବିଶେଷ କିଛି ହୋଇନି ବୋଲି ରାହୁଲ କହିଛନ୍ତି। ୱାୟନାଡ଼ରେ ଜଣେ କୃଷକ ଋଣଭାର ସମ୍ଭାଳି ନପାରି ଆତ୍ମହତ୍ୟା କରିଦେଇଥିବା ସେ କହିଛନ୍ତି। କେବଳ ୱାୟନାଡ଼ରେ ୮୦୦୦ କୃଷକଙ୍କୁ ଋଣ ପରିଷୋଧ କରିନଥିବା ନେଇ ବ୍ୟାଙ୍କ୍‌ ନୋଟିସ୍‌ ଜାରି ହୋଇଛି। ତେବେ ରାହୁଲଙ୍କ ବକ୍ତବ୍ୟକୁ ବିରୋଧ କରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ କୃଷକ ଆତ୍ମହତ୍ୟା ସଂଖ୍ୟା କମିଛି। କିନ୍ତୁ ଅନେକ ଦଶନ୍ଧି ଧରି ଯିଏ ସରକାର ପରିଚାଳନା କରୁଥିଲେ ତାଙ୍କ ପାଇଁ ଆଜି କୃଷକମାନଙ୍କର ଏହି ଅବସ୍ଥା ବୋଲି ରାଜନାଥ କହିଛନ୍ତି। ୪-୫ ବର୍ଷ ମଧ୍ୟରେ କୃଷକଙ୍କ ସ୍ଥିତି ଏତେ ଶୋଚନୀୟ ହୋଇଯାଇନି। ଅନେକ ଦଶନ୍ଧି ଧରି ଯେଉଁମାନେ ଶାସନ କରିଥିଲେ ସେମାନେ କୃଷକସ୍ଥ ସ୍ଥିତିକୁ ତଳିତଳାନ୍ତ କରିଦେଇଛନ୍ତି ଏବଂ ଏହାର କୁପରିଣାମ ଦେଶ ଭୋଗୁଛି ବୋଲି ରାଜନାଥ କହିଛନ୍ତି।

ସମ୍ବନ୍ଧିତ ଖବର