ନୂଆଦିଲ୍ଲୀ: ତିନି କୃଷି ଆଇନ ବିରୋଧରେ ପ୍ରତିବାଦ ଜଣାଇ ସୋମବାର ଦିନ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଗୋଟାଏ ଟ୍ରାକ୍ଟର୍ ଚଳାଇ ପାର୍ଲାମେଣ୍ଟ୍ରେ ପହଞ୍ଚିଛନ୍ତି। କିନ୍ତୁ, ଏହି ଟ୍ରାକ୍ଟର୍ ପ୍ରତିବାଦ ସହ ଆସିଥିବା ରଣଦୀପ ସୂର୍ଯ୍ୟେୱାଲା ଏବଂ ଅନ୍ୟ କଂଗ୍ରେସ ନେତାମାନଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି।
କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ସାଙ୍କେତିକ ପ୍ରତିବାଦପୂର୍ବକ ରାହୁଲ୍ ଗାନ୍ଧୀ ଅନ୍ୟାନ୍ୟ କଂଗ୍ରେସ ସମର୍ଥକମାନଙ୍କ ସହ ଟ୍ରାକ୍ଟର୍ ଚଢ଼ି ସଂସଦକୁ ଆସିଛନ୍ତି। ଏହି ବିବାଦୀୟ କୃଷି ଆଇନ ତୁରନ୍ତ ପ୍ରତ୍ୟାହାର କରି ନିଆଯାଉ ବୋଲି ରାହୁଲ୍ ଉପସ୍ଥିତ ସାମ୍ବାଦିକମାନଙ୍କୁ କହିଛନ୍ତି।
/sambad/media/post_attachments/wp-content/uploads/2021/07/rg.jpg)
ସେ କହିଲେ, କୃଷକମାନଙ୍କର ବାର୍ତ୍ତା ନେଇ ମୁଁ ସଂସଦକୁ ଆସିଛି। ସରକାର କୃଷକମାନଙ୍କ ପାଟି ବନ୍ଦ କରୁଛନ୍ତି। ସଂସଦରେ ଏ ସଂକ୍ରାନ୍ତରେ କୌଣସି ଆଲୋଚନା କରାଇ ଦେଉନାହାନ୍ତି। ସେମାନେ ଏହି ‘କଳା ଆଇନ’କୁ ପ୍ରତ୍ୟାହାର କରିବା କଥା। ଏହି ଆଇନ ସବୁ କେବଳ ଦୁଇ ତିନିଜଣ ବଡ଼ ବ୍ୟବସାୟୀଙ୍କୁ ଉପକୃତ କରିବ ବୋଲି ସମଗ୍ର ଦେଶବାସୀ ଜାଣନ୍ତି।
ସରକାର କହୁଛନ୍ତି କୃଷି ଆଇନ ପାଇଁ ଆମ କୃଷକମାନେ ଆନନ୍ଦିତ। ପ୍ରତିବାଦ ଚଳାଇଥିବା ବ୍ୟକ୍ତିମାନେ ଆତଙ୍କବାଦୀ। କିନ୍ତୁ, ବାସ୍ତବ କଥା ହେଲା, କୃଷକମାନଙ୍କ ଅଧିକାରକୁ ଛିନ୍ନ କରି ନିଆଯାଉଛି। ମୁଁ ଆପଣମାନଙ୍କୁ ସମର୍ଥନ କରୁଛି ବୋଲି ସମଗ୍ର ଦେଶର କୃଷକମାନଙ୍କୁ ଅବଗତ କରାଉଛି। ଜୟ ଯବାନ ଜୟ କିଷାନ।
ସୂଚନାଯୋଗ୍ୟ, ଦୀର୍ଘ ୮ ମାସ ହେବ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶର ଅଗଣିତ କୃଷକ ଦିଲ୍ଲୀ ସୀମାନ୍ତରେ ବସି ନୂଆ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଛନ୍ତି। ଚାଲିଥିବା ସଂସଦର ମୌସୁମୀ ଅଧିବେଶନରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ୨୦୦ କୃଷକବିଶିଷ୍ଟ ଏକ ଦଳ ଦିଲ୍ଲୀର ଯନ୍ତର ମନ୍ତରରେ ଡେରା ପକାଇଛନ୍ତି।