ମୋଦୀଙ୍କ ଅପାରଗତା ଯୋଗୁଁ ଭୁଟାନରେ ପଶିଲାଣି ଚୀନ : ରାହୁଲ

ନୂଆଦିଲ୍ଲୀ : ଭୁଟାନ ଅଞ୍ଚଳରେ ଚୀନ ପକ୍ଷରୁ ଗ୍ରାମ ନିର୍ମାଣ କରାଯିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ ମୋଦିଙ୍କ ଅପାରଗତା ପାଇଁ କେବଳ ଭାରତ ନୁହେଁ, ଭାରତର ଘନିଷ୍ଠ ସହଯୋଗୀଙ୍କ ସୁରକ୍ଷା ପ୍ରତି ବିପଦ ମାଡ଼ିଆସୁଛି ।

ଟୁଇଟ କରି ସେ ଲେଖିଛନ୍ତି ଯେ ମୋଦୀଙ୍କ ଅପାରଗତା ଯୋଗୁଁ ଭାରତୀୟ ଅଞ୍ଚଳକୁ ଚୀନ ମାଡ଼ିବସିଛି । ପଡ଼ୋଶୀ ଦେଶମାନଙ୍କ ପାଇଁ ମଧ୍ୟ ଭାରତ ଛିଡ଼ା ନହେବାରୁ ଚୀନ ସେମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି । ଯିଏ ନିଜ ପାଇଁ ଛିଡ଼ା ହୋଇପାରବ ନାହିଁ, ସେ ପଡ଼ୋଶୀଙ୍କ ପାଇଁ କିପରି ଛିଡ଼ା ହେବ ? ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏକ ଅନ୍ତର୍ଜାତୀୟ ସମ୍ବାଦ ସରବରାହ ଏଜେନ୍ସିର ରିପୋର୍ଟ ଅନୁସାରେ ଭୁଟାନ ଅଞ୍ଚଳରେ ଚୀନ ପକ୍ଷରୁ ନିର୍ମାଣ କରାଯାଉଥିବା ଗ୍ରାମ ସଂଖ୍ୟା ୬ରେ ପହଞ୍ଚିଛି । ଗତ ନଭେମ୍ବର ମାସରେ ଉତ୍ତୋଳିତ ସାଟେଲାଇଟ୍ ଫଟୋ ଅନୁସାରେ ଏହି ଗ୍ରାମ ସଂଖ୍ୟା ୪ ଥିଲା । ଅର୍ଥାତ ଏହି ଦୁଇ ମାସରେ ଚୀନ ଆଉ ଦୁଇଟି ନୂଆ ଗ୍ରାମ ନିର୍ମାଣ କରିଛି । ଏସବୁ ଗ୍ରାମ ଗୁଡ଼ିକ ଭାରତ-ଭୁଟାନ-ଚୀନ ଟ୍ରାଇ-ଜଙ୍କସନ ବା ତ୍ରିଛକ ଅଞ୍ଚଳରେ ଅବସ୍ଥିତ । ଏହା ଭାରତର ସଂବେଦନଶୀଳ ଚିକେନ ନେକ୍ ଅଞ୍ଚଳ ନିକଟରେ ଥିବାରୁ ଆଗକୁ ଭାରତର ସୁରକ୍ଷା ପାଇଁ ଆହ୍ବାନ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର