ଇସ୍ତଫା ଜିଦରେ ରାହୁଲ ଅଟଳ, ଗାନ୍ଧି ପରିବାର ବାହାରୁ କୌଣସି ନେତାଙ୍କୁ କଂଗ୍ରେସ ସଭାପତି ଭାବେ ନିର୍ବାଚିତ କରିପାରେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବେ ଜିଦରେ ଅଟଳ ଅଛନ୍ତି । କଂଗ୍ରେସର ୫୧ ସାଂସଦଙ୍କ ଅନୁରୋଧକୁ ରାହୁଲ ମାନିବାକୁ ପ୍ରସ୍ତୁତ ନାହାନ୍ତି।  ଏହାକୁ ନେଇ ଦିଲ୍ଲୀରେ ଆଜି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଏହି ବୈଠକରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ୫୧ ସାଂସଦଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି  ମଧ୍ୟ ଉପସ୍ଥିତ ଅଛନ୍ତି ।

ରାହୁଲ ସମସ୍ତ ସାଂସଦଙ୍କୁ କହିଛନ୍ତି କି, ସେ ଆଉ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବେ ନାହିଁ । କଂଗ୍ରେସ ସାଂସଦ ଶଶୀ ଥରୁର କିନ୍ତୁ ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବା ନେଇ ଯୁକ୍ତି ଦର୍ଶାଇଛନ୍ତି । ବରିଷ୍ଠ କଂଗ୍ରେସ ନେତାଙ୍କ ଅନୁରୋଧ ସତ୍ତ୍ୱେ ସେ ନିଜ ନିଷ୍ପତିରେ ଅଟଳ ରହିଛନ୍ତି।

ଲୋକସଭା ନିର୍ବାଚନରେ କଂଗ୍ରେସକୁ ମିଳିଥିବା ବଡ ପରାଜୟର ନୈତିକ ଦାୟିତ୍ୱ ଏବେ ରାହୁଲ ନିଜ ମୁଣ୍ଡକୁ ନେଇ ଅଧ୍ୟକ୍ଷ ପଦ ଛାଡିବା ଜିଦରେ ଅଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ସାରା ଦେଶରେ ମାତ୍ର ୫୨ ସିଟରେ ସୀମିତ ରହିଥିଲା । ୨୦୧୪ ଲୋକସଭା ନିର୍ବାଚନରେ ଦଳ ମାତ୍ର ୪୪ଟି ଆସନକୁ ଖସି ଆସିଥିଲା । ତେବେ ୨୦୧୭ ଡିସେମ୍ବରରେ ରାହୁଲ ଗାନ୍ଧିଙ୍କ ହାତରେ କଂଗ୍ରେସ ଅଧ୍ୟକ୍ଷ ଭାର ଦେଇ ଦଳର ଭାଗ୍ୟ ବଦଳିବା ନେଇ ଆଶା ରଖିଥିଲା । ହେଲେ ଏଥର ବି ମୋଦିଙ୍କ ଆଗରେ ସବୁ କିଛି ଫେଲ୍‌ ମାରିଛି । ଏପରିକି ରାହୁଲ ନିଜର ପାରମ୍ପରିକ ଆମେଠି ଆସନରେ ବି ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ୱାଏନାଡରୁ ଜିତିଥିବାରୁ ଏବେ ସଂସଦରେ ପ୍ରବେଶ କରିଛନ୍ତି । ତେବେ ରାହୁଲଙ୍କ ଅଧ୍ୟକ୍ଷ ଦାୟିତ୍ୱ କଂଗ୍ରେସକୁ ଜୀବନ୍ୟାସ ଦେଇପାରିଲାନି, ଯାହାକୁ ନେଇ ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଜିଦ୍‌ ଧରିଛନ୍ତି । ଯଦି ଏପରି ହୁଏ ତେବେ ନେହରୁ ଗାନ୍ଧି ପରିବାର ବାହାରୁ ଦଳ ଅନ୍ୟ କୌଣସି ନେତାଙ୍କୁ କଂଗ୍ରେସ ସଭାପତି ଭାବେ ନିର୍ବାଚିତ କରିପାରେ । ଆଜିର ବୈଠକରେ ଏନେଇ କିଛି ସ୍ପଷ୍ଟ ଚିତ୍ର ଆସିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର