ରାହୁଲଙ୍କ କଶ୍ମୀର ମନ୍ତବ୍ୟ ନେଇ ବିବାଦ

ଜାତିସଂଘରେ ଅସ୍ତ୍ର କଲା ପାକିସ୍ତାନ, ରାହୁଲ କ୍ଷମା ମାଗିବା ଉଚିତ: ବିଜେପି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କଶ୍ମୀର ଟିପ୍ପଣୀକୁ ନେଇ ଏବେ ଦେଶରେ ବଡ଼ ବିବାଦ ସୃଷ୍ଟି ହୋଇଛି। ରାହୁଲଙ୍କ କଶ୍ମୀର ବୟାନକୁ ପାକିସ୍ତାନ ଭାରତ ବିରୋଧରେ ଜାତିସଂଘରେ ବ୍ୟବହାର କରିବା ପରେ ଏବେ ବିଜେପି ରାହୁଲଙ୍କୁ କଡ଼ା ସମାଲୋଚନା କରି ଏଥିପାଇଁ କ୍ଷମାପ୍ରାର୍ଥନା କରିବାକୁ ଦାବି କରିଛି। ପାକିସ୍ତାନ କଶ୍ମୀର ମାମଲା ନେଇ ଏବେ ପୁଣି ଜାତିସଂଘର ଦ୍ବାରସ୍ଥ ହୋଇଛି ଏବଂ ପାକିସ୍ତାନର ଆବେଦନ ପତ୍ରରେ ରାହୁଲ ଗାନ୍ଧୀଙ୍କ ବୟାନକୁ ଉଲ୍ଲେଖ କରାଯାଇଛି । ଭାରତ ସରକାର କଶ୍ମୀରବାସୀଙ୍କ ଉପରେ ଭୟଙ୍କର ଅତ୍ୟାଚାର କରୁଥିବା ରାହୁଲ ସ୍ବୀକାର କରୁଥିବାରୁ ଏହା ପାକିସ୍ତାନର ଦାବିକୁ ଯଥାର୍ଥ ପ୍ରମାଣିତ କରିଛି ବୋଲି ଜାତିସଂଘରେ ପାକ୍‌ ରାଷ୍ଟ୍ରଦୂତ କହିଛନ୍ତି। ଅନ୍ୟପକ୍ଷରେ ରାହୁଲଙ୍କ ବୟାନକୁ ପାକିସ୍ତାନ ଅସ୍ତ୍ର କରି ଭାରତକୁ ବଦନାମ କରୁଥିବାରୁ ରାହୁଲ ତୁରନ୍ତ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍‌ ବୋଲି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାହୁଲ ଗତ ସପ୍ତାହରେ କଶ୍ମୀର ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ କଶ୍ମୀର‌ରେ ବିରୋଧୀ ଦଳ ଏବଂ ଗଣମା‌ଧ୍ୟମ ଉପରେ ସରକାରଙ୍କ ଦମନ ନୀତି ଚାଲିଛି। ଲୋକେ ଶ୍ରୀନଗର ଗସ୍ତ କରିବାକୁ ଚାହି‌ଲେ ସେମାନଙ୍କୁ ଏଥିରୁ ବଳପୂର୍ବକ ବଂଚିତ କରାଯାଉଛି । ଏହା ପୂର୍ବରୁ ମଧ୍ୟ ରାହୁଲ କହିଥିଲେ ଯେ କଶ୍ମୀର ସ୍ଥିତି ଆଦୌ ଭଲ ନାହିଁ। ତେବେ ରାହୁଲଙ୍କ ଟିପ୍ପଣୀକୁ ପାକିସ୍ତାନ ଭାରତ ବିରୋଧରେ ବ୍ୟବହାର କରିବା ପରେ ଏବେ ରାହୁଲଙ୍କ ଚେତା ପଶିଛି। ରାହୁଲ ଏବେ ଏହି ମାମଲାରେ ତାଙ୍କ ମତ ବଦଳାଇ ଆଜି ପାକିସ୍ତାନକୁ ସମାଲୋଚନା କରିଛନ୍ତି। ଟ୍ବିଟ୍‌ କରି ରାହୁଲ କହିଛନ୍ତି, କଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଜମ୍ମୁ କଶ୍ମୀରରେ ହିଂସା ପାଇଁ ପାକିସ୍ତାନ ଉସୁକାଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାହୁଲ ଏବେ ତାଙ୍କ ବୟାନ ବଦଳାଉଥିବାରୁ ସେ ଜଣେ ଦ୍ବନ୍ଦ୍ବରେ ପଡ଼ିଥିବା ନେତା ବୋଲି ପାକିସ୍ତାନ କହିଛି।

ରାହୁଲ ଗାନ୍ଧୀଙ୍କୁ ବିଜେପି ସମାଲୋଚନା କରିବା ନେଇ କଂଗ୍ରେସ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେବାଲା କହିଛନ୍ତି, ଜାଭଡ଼େକର ଏବେ ଜଣେ ଭୁଲ୍‌ ସୂଚନା ଦେଉଥିବା ମନ୍ତ୍ରୀରେ ପରିଣତ ହୋଇଛନ୍ତି। ସେହିପରି ପାକିସ୍ତାନ ମଧ୍ୟ ଜାତିସଂଘରେ କରିଥିବା ଆବେଦନରେ ରାହୁଲ ଗାନ୍ଧୀଙ୍କ ନାମ ରଖିଥିବାରୁ କଂଗ୍ରେସ ଏହି ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଅନ୍ୟପକ୍ଷରେ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଆଜି କହିଛନ୍ତି ଯେ ଯେଉଁମାନେ ଧାରା ୩୭୦ ସପକ୍ଷରେ ଅଛନ୍ତି ସେମାନଙ୍କୁ ଲୋକେ ଜୋତାରେ ପିଟିବେ।

ସମ୍ବନ୍ଧିତ ଖବର