୪୦ଲକ୍ଷ କୋଭିଡ ମୃତ୍ୟୁକୁ ଲୁଚାଇବା ପାଇଁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ପଦ୍ଧତି ଉପରେ ପ୍ରଶ୍ନ କରୁଛି ଭାରତ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦୀ ସତ କହନ୍ତିନି କି କାହାକୁ କହିବାକୁ ଦିଅନ୍ତିନି। ଏଭଳି କହି ଏବେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଅବହେଳାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କରୋନାଭାଇରସ୍ ମହାମାରୀ ସମୟରେ ୪୦ ଲକ୍ଷ ଭାରତୀୟଙ୍କ ମୃତ୍ୟୁ ଘଟିଥିଲେ ବି ସରକାର ପ୍ରକୃତ ସଂଖ୍ୟା ଲୁଚାଉଥିବା କହିଛନ୍ତି ରାହୁଲ। ଏହା ସହ ରାହୁଲ ଗାନ୍ଧୀ ପୁଣି ଥରେ ଦାବି କରିଛନ୍ତି ଯେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ।

ଟ୍ୱିଟରରେ ରାହୁଲ ଗାନ୍ଧୀ ନ୍ୟୁୟର୍କ ଟାଇମ୍ସ ରିପୋର୍ଟର ଏକ ସ୍କ୍ରିନସଟ ସେୟାର କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ କୋଭିଡ ମୃତ୍ୟୁସଂଖ୍ୟାକୁ ସାର୍ବଜନୀନ କରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଉଦ୍ୟମକୁ ଭାରତ ରୋକିବାକୁ ଚେଷ୍ଟା କରୁଛି।

ରାହୁଲ ଗାନ୍ଧୀ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ମୋଦୀଜୀ ସତ କହନ୍ତି ନାହିଁ କିମ୍ବା ଅନ୍ୟମାନଙ୍କୁ କହିବାକୁ ଅନୁମତି ଦିଅନ୍ତି ନାହିଁ। ସେ ମିଛ କହୁଛନ୍ତି ଯେ କରୋନା ମହାମାରୀର ଦ୍ବିତୀୟ ଲହରରେ ଅମ୍ଳଜାନ ଅଭାବରୁ କେହି ମୃତ୍ୟୁବରଣ କରି ନାହାଁନ୍ତି। ମୁଁ ପୂର୍ବରୁ କହିସାରିଛି ଯେ କୋଭିଡ ସମୟରେ ସରକାରଙ୍କ ଅବହେଳା ପାଇଁ ୫ଲକ୍ଷ ନୁହେଁ, ୪୦ ଲକ୍ଷ ଭାରତୀୟଙ୍କ ମୃତ୍ୟୁ ଘଟିଛି। ଦାୟିତ୍ବ ପୂରଣ କରନ୍ତୁ ମୋଦୀଜୀ। ପ୍ରତ୍ୟେକ କୋଭିଡ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ।

ଉଲ୍ଲେଖଯୋଗ୍ୟ, ଦେଶରେ କୋଭିଡ୍‌-୧୯ ମୃତ୍ୟୁ ଆକଳନ ପାଇଁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ବ୍ୟବହାର କରୁଥିବା ପଦ୍ଧତି ଉପରେ ଶନିବାର ଦିନ ଭାରତ ସନ୍ଦେହ ପ୍ରକାଶ କରିଛି। ଭାରତ ଭଳି ବିରାଟ ଭୌଗୋଳିକ ଆକାର ଏବଂ ଜନବହୁଳ ଦେଶର ମୃତ୍ୟୁସଂଖ୍ୟା ଆକଳନ କରିବା ପାଇଁ ଏ ପ୍ରକାର ଗାଣିତିକ ମଡେଲ୍‌ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଭାରତ କହିଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି, ମୃତ୍ୟୁସଂଖ୍ୟା ଯାହା ହେଉ ସେଥିରେ ଭାରତର ଆପତ୍ତି ନାହିଁ, କିନ୍ତୁ ମୃତ୍ୟୁସଂଖ୍ୟା ଆକଳନ ପାଇଁ ବ୍ୟବହାର କରାଯାଉଥିବା ପଦ୍ଧତି ଉପରେ ଭାରତ ଆପତ୍ତି କରୁଛି। ମୃତ୍ୟୁସଂଖ୍ୟା ଆକଳନ ପାଇଁ ‘ଟିୟର୍‌-୧’ ଏବଂ ‘ଟିୟର୍‌-୨’ ସେଟ୍‌ ବ୍ୟବହାର କରାଯାଉଛି। ଏ ୨ଟି ମଡେଲ୍‌ର ମୃତ୍ୟୁସଂଖ୍ୟା ମଧ୍ୟରେ ବ୍ୟାପକ ପାର୍ଥକ୍ୟ ରହିଛି। ଉପରୋକ୍ତ ୨ଟି ମଡେଲ୍‌ରେ ବିଶ୍ବର ବିଭିନ୍ନ ଦେଶକୁ ବର୍ଗୀକରଣ କରାଯାଇଛି। ‘ଟିୟର୍‌-୧’ସେଟ୍‌ରେ ଭାରତ ସମେତ ଚୀନ୍, ଇରାନ୍‌, ବାଂଲାଦେଶ, ସିରିୟା, ଇଥିଓପିଆ ଏବଂ ଇଜିପ୍ଟ୍‌ ପ୍ରଭୃତି ଦେଶ ଅଛନ୍ତି। ଏହି ସବୁ ଦେଶର କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ଜାଣିବାକୁ ଅସମର୍ଥିତ ସୂତ୍ରରୁ ତଥ୍ୟ ସଂଗ୍ରହ ହୋଇଛି। ଏଥିପାଇଁ ‘ଟିୟର୍‌-୧’ ବର୍ଗର ସମସ୍ତ ଦେଶ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନିକଟରେ ଆପତ୍ତି କରିଥିଲେ।

ଭାରତ କହୁଛି ‌କି, ଏହି ପଦ୍ଧତିରେ ଛୋଟ ଛୋଟ ଦେଶମାନଙ୍କରେ ଘଟିଥିବା କ‌ୋଭିଡ୍‌-୯ଜନିତ ମୃତ୍ୟୁସଂଖ୍ୟା ଯେଉଁ ପରିସଂଖ୍ୟନ ଭିତ୍ତିରେ ସ୍ଥିର କରାଯାଇଛି ଭାରତ ଭଳି ବିରାଟ ଦେଶ ପାଇଁ ସେଭଳି ପରିସଂଖ୍ୟନ ଦ୍ବାରା ସଠିକ ଫଳାଫଳ ମିଳିବ ନାହିଁ।

ସମ୍ବନ୍ଧିତ ଖବର