ଚେନ୍ନାଇ: ତାମିଲନାଡ଼ୁ ବିଧାନସଭା ପାଇଁ ନିର୍ବାଚନ ଚଳିତବର୍ଷ ହେବ। ଏହାର ଅବ୍ୟବହିତ ପୂର୍ବରୁ ରାଜନୀତି ଆରମ୍ଭ ହୋଇଯାଇଛି। ଲୋକଙ୍କ ସହ ଯୋଡ଼ିହେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦକ୍ଷିଣ ଭାରତର ପ୍ରମୁଖ ପର୍ବ ପୋଙ୍ଗଲ ଉପଲକ୍ଷେ ଜାଲ୍ଲିକାଟୁ ଦେଖିବା ଲାଗି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଆଜି ମଦୁରାଇରେ ପହଞ୍ଚିଛନ୍ତି। ରାହୁଲଙ୍କ ସହିତ କଂଗ୍ରେସର ବରିଷ୍ଠ ନେତା କେ ସି ବେଣୁଗୋପାଳ, ରାଜ୍ୟ କଂଗ୍ରେସ ମୁଖ୍ୟ କେ ଏସ୍‌ ଆଲାଗିରି, ଏବଂ ପୁଡ଼ୁଚେରି ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ ଉପସ୍ଥିତ ଥିଲେ। ତାମିଲମାନଙ୍କର ସଂସ୍କୃତି ଏବଂ ଇତିହାସ ଭାରତର ଭବିଷ୍ୟତ ପାଇଁ ଆବଶ୍ୟକ ହୋଇଥିବା ଅନୁଭବ କରି ମୁଁ ଏଠାକୁ ଆସିଛି ବୋଲି ରାହୁଲ କହିଛନ୍ତି। ଏଠାରେ ରାହୁଲଙ୍କ ସହିତ ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନ ମଧ୍ୟ ଉପସ୍ଥିତ ଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ୨୦୧୪ରେ ସୁପ୍ରିମ କୋର୍ଟ ଜାଲ୍ଲିକାଟୁକୁ ନିଷିଦ୍ଧ କରିଥିଲେ। କିନ୍ତୁ ରାଜ୍ୟବ୍ୟାପୀ ଏହା ବିରୋଧରେ ବିକ୍ଷୋଭ ଓ ପ୍ରତିବାଦ ହେବା ଦ୍ବାରା ରାଜ୍ୟ ସରକାର ଆଇନରେ ସଂଶୋଧନ ଆଣି ୩ ବର୍ଷ ପରେ ପୁଣି ଏହାକୁ ଅବସ୍ଥାପିତ କରିଥିଲେ। ତେବେ ପୂର୍ବରୁ ଦଳ କ୍ଷମତାକୁ ଆସିଲେ ଜାଲ୍ଲିକାଟୁକୁ ନିଷିଦ୍ଧ କରାଯିବ ବୋଲି ୨୦୧୬ ତାମିଲନାଡ଼ୁ ବିଧାନସଭା ନିର୍ବାଚନୀ ଇସ୍ତାହାରରେ ଦଳ ପ୍ରତିଶ୍ରୁତି ଦେଇଥିଲା। ରାହୁଲ ଆଜି ଜାଲ୍ଲିକାଟୁ ଦେଖିବା ଏବଂ ଏହା ସପକ୍ଷରେ ମତ ଦେବା ପରେ ଏହାକୁ ସାମାଜିକ ଗଣମାଧ୍ୟମରେ ଭୀଷଣ ସମାଲୋଚନା କରାଯାଇଛି।