ନୂଆଦିଲ୍ଲୀ: ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜୋର୍ ହୋଇଛି। ସିବିଆଇ ଏହାର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ନାମରେ ଦୁର୍ନୀତି ମାମଲା ରୁଜୁ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ।
ରାହୁଲ୍ ଗାନ୍ଧି ଟୁଇଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବ୍ଲୁ ଆଇଡ୍ ବଏ ଗୁଜୁରାଟ କ୍ୟାଡର ପୋଲିସ ଅଧିକାରୀ ତଥା ଗୋଧ୍ରାକାଣ୍ଡର ତଦନ୍ତ କରୁଥିବା ଏସ୍ଆଇଟିର ସଦସ୍ୟ ଥିବା ସିବିଆଇର ଦ୍ୱିତୀୟ ସର୍ବୋଚ୍ଚ ଅଧିକାରୀ ଏବେ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧିନରେ ସିବିଆଇ ଏକ ରାଜନୈତିକ ପ୍ରତିଶୋଧର ଅସ୍ତ୍ର ପାଲଟିଛି।
ଉଲ୍ଲେଖଯୋଗ୍ୟ କି ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ନାମରେ ଅଭିଯୋଗ ରହିଛି କି ସେ ଜଣେ ମଧ୍ୟସ୍ଥିଙ୍କଠାରୁ ଲାଞ୍ଚ ନେଇ ଜନୈକ ମାଂସ ରପ୍ତାନୀକାରୀ ବ୍ୟବସାୟୀ ମୋଇନ୍ କ୍ୟୁରେସୀଙ୍କୁ ଏକ ମାମଲାରୁ ଖସାଇ ଦବାକୁ ଉଦ୍ୟମ କରିଛନ୍ତି। ତାଙ୍କ ନାମରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ରାକେଶ ଆସ୍ଥାନା ଗତ ଅଗଷ୍ଟ ୨୪ ତାରିଖରେ କ୍ୟାବିନେଟ୍ ସେକ୍ରେଟାରିଙ୍କୁ ଚିଠି ଲେଖି ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମା ବ୍ୟବସାୟୀ ମୋଇନ୍ କ୍ୟୁରେସୀଙ୍କଠାରୁ ୨ କୋଟି ଟଙ୍କାର ଲାଞ୍ଚ ନେଇ ତାଙ୍କ ବିରୋଧରେ ଥିବା ମାମଲାକୁ ରଫାଦଫା କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଥିଲେ। ବର୍ତ୍ତମାନ ଏହି ଅଭିଯୋଗର ତଦନ୍ତ କେନ୍ଦ୍ରୀୟ ଭିଜିଲାନ୍ସ କମିସନ୍ କରୁଛି।
ବର୍ତ୍ତମାନ ସିବିଆଇ ଆସ୍ଥାନାଙ୍କ ଅଭିଯୋଗ ‘ମିଥ୍ୟା’ ଓ ‘ଭିତ୍ତିହୀନ’ ବୋଲି କହିଛି।