ଭୁବନେଶ୍ୱରରେ ବିଜେପି ଓ ବିଜେଡିକୁ ରାହୁଲଙ୍କ ସମାଲୋଚନା: ଉଭୟଙ୍କ ମଡେଲ୍ ସମାନ; ନବୀନ ଓ ମୋଦିଙ୍କ ମଧ୍ୟରେ ରହିଛି ଭିତିରି ବୁଝାମଣା

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁବନେଶ୍ୱରରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଉଭୟ ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରର ବିଜେପି ସରକାର ଓ ଓଡ଼ିଶାର ବିଜେଡି ସରକାରଙ୍କ ମଡେଲ ସମାନ । ଏଠାରେ ବଡ଼ ବଡ଼ ଶିଲ୍ପପତିମାନେ ସରକାରକୁ ପାଣ୍ଠି ଯୋଗାଉଛନ୍ତି। ଜନତାଙ୍କ ସ୍ୱର ଶୁଣିବାକୁ କେହି ନାହିଁ। କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ପରିଚାଳିତ । କିନ୍ତୁ କଂଗ୍ରେସ୍‌ ଏଇ ମଡେଲ୍‌ରେ ବିଶ୍ୱାସ କରେ ନାହିଁ। ଆମେ ଲୋକଙ୍କ ମତାମତକୁ ନେଇ ସରକାର ଚଳାଇବାକୁ ଚାହୁଁ ବୋଲି କହିଛନ୍ତି ରାହୁଲ୍‌ ଗାନ୍ଧି।

ଏଥିସହ ସେ ମୋଦି ଓ ରାହୁଲଙ୍କ ମଧ୍ୟରେ ଭିତିରି ବୁଝାମଣା ରହିଛି ବୋଲି ଅଭିଯୋଗ କରିଛନ୍ତି। ସେ ଜିଏସଟି ହେଉ କି ବିମୁଦ୍ରିକରଣ, ମୋଦି ସରକାରଙ୍କ ସବୁ ନିଷ୍ପତ୍ତିକୁ ନବୀନ ସମର୍ଥନ କରି ଆସିଛନ୍ତି।

ବୁଦ୍ଧିଜୀବୀ ସମ୍ମିଳନୀରେ ଉପସ୍ଥିତ ବ୍ୟକ୍ତିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କଡା ସମାଲୋଚନା କରିଛନ୍ତି ରାହୁଲ୍‌ । ଗତ ୧୦/୧୫ ବର୍ଷ ହେଲା ମୁଖ୍ୟମନ୍ତ୍ରୀ କ’ଣ କରୁଥିଲେ? ହଠାତ୍‌ କାହିଁକି ସେ ଚାଷୀଙ୍କ କଥା ଚିନ୍ତା କଲେ?ଛତିଶଗଡ଼ରେ କଂଗ୍ରେସ ସରକାର ଚାଷୀଙ୍କୁ ଋଣଛାଡ ପରେ ଓ ଶସ୍ୟର ଏମ୍‌ଏସ୍‌ପି ବଢାଇବା ପରେ ନବୀନଙ୍କରନିଦ ଭାଙ୍ଗିଲା କି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ୍‌।

କଂଗ୍ରେସ ଦଳରେ ଆଲୋଚନା ବେଳେ କୋଳାହଳ ହୋଇଥାଏ। କାରଣ ଆମେ ସମସ୍ତଙ୍କୁ ମତ ପ୍ରକାଶ କରିବାର ଅଧିକାର ଦେଇଥାଉ। ଲୋକମାନେ ପରସ୍ପର ବିରୋଧୀ ମତ ମଧ୍ୟ ଦେଇଥାଆନ୍ତି। ସେହି ଆଲୋଚନାରୁ ହିଁ ନିଷ୍ପତ୍ତି ବାହାରିଥାଏ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କ କଥା ଶୁଣନ୍ତି ନାହିଁ। ନବୀନ ବାବୁ କେବେ ଲୋକଙ୍କ ସହ ଆଲୋଚନା କରିବା ଦେଖିଛନ୍ତି କି ବୋଲି ଟିପ୍ପଣୀ କରିଛନ୍ତି ରାହୁଲ୍‌।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ରାହୁଲ ମନ୍ତବ୍ୟ ଦେଇଛନ୍ତି କି ମୋଦି କାହା କଥା ଶୁଣନ୍ତି ନାହିଁ। ତାଙ୍କର କ୍ୟବିନେଟ୍‌ ଅତ୍ୟନ୍ତ ଶୃଙ୍ଖଳିତ। କାରଣ ତାଙ୍କ ସାମ୍ନାରେ ମନ୍ତ୍ରୀମାନେ ବି ମୁହଁ ଖୋଲନ୍ତି ନାହିଁ। ମୋଦିଜୀ ଭାବନ୍ତି ପୃଥିବୀର ସବୁ ବିଷୟରେ ସେ ଜାଣନ୍ତି।

ସମ୍ବନ୍ଧିତ ଖବର