ଜୟପୁର : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସୀମା ବିବାଦ ନେଇ ସରକାରକୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ କହିଛନ୍ତି, ଚୀନ୍‌ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, କିନ୍ତୁ ଭାରତ ସରକାର ଶୋଇଛି। ଚୀନ୍‌ ପଟୁ ବିପଦକୁ ଭାରତ ସରକାର ଅଣଦେଖା କରିବାକୁ ଚେଷ୍ଟା କରିଛନ୍ତି। ଚୀନ୍‌ ୨୦ ଭାରତୀୟ ‌ଯବାନଙ୍କୁ ହତ୍ୟା କରିଛି ଏବଂ ଏହା ଅରୁଣାଚଳପ୍ରଦେଶରେ ଆମ ଯବାନଙ୍କୁ ପିଟିଛି। ରାହୁଲ କହିଛନ୍ତି, ଚୀନ୍‌ ପଟୁ ବିପଦକୁ ମୁଁ ସ୍ପଷ୍ଟ ଦେଖି ପାରୁଛି। ଯୁଦ୍ଧ ପାଇଁ ଚୀନ୍‌ ପ୍ରସ୍ତୁତ ହେଉଥିବା ବେଳେ ସରକାର ସଠିକ ରଣନୈତିକ ଉପାୟରେ କାମ କରୁନାହାନ୍ତି।

Advertisment

ଭାରତ ଯୋଡ଼ୋ ଯାତ୍ରାକୁ ୧୦୦ ଦିନ ପୂର୍ତ୍ତି ଅବସରରେ ରାହୁଲ ଶୁକ୍ରବାର ଦିନ ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଏହି ଟିପ୍ପଣୀ ଦେଇଛନ୍ତି। ରାହୁଲଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା କନ୍ଦଳ ସଂକ୍ରାନ୍ତରେ ପ୍ରଶ୍ନ କରାଯିବାବେଳେ ରାହୁଲ କହିଛନ୍ତି, ଆମ ଦଳରେ କୌଣସି ଦ୍ବନ୍ଦ୍ବ ନାହିଁ। ଗୁଜରାଟରେ ଦଳର ପରାଜୟ ନେଇ ସେ କହିଛନ୍ତି ଯେ କେବଳ ଆପ୍‌ର ଉପସ୍ଥିତି ଯୋଗୁଁ ଉପୁଜିଥିବା ପରିସ୍ଥିତିରେ କଂଗ୍ରେସର ପରାଜୟ ହେଲା।

ଅନ୍ୟପକ୍ଷରେ ବିଜେପି ରାହୁଲଙ୍କ ବୟାନକୁ ସାମଲୋଚନା କରିଛି ଏବଂ ରାହୁଲ ଭାରତୀୟ ଯବାନଙ୍କୁ ଅପମାନିତ କରୁଥିବା କହିଛି। ଆମ ଯବାନ ସୀମାରେ ପ୍ରତିଟି ଅତିକ୍ରମଣ ପ୍ରୟାସକୁ କିଭଳି ପଣ୍ଡ କରୁଛନ୍ତି ଏବଂ କଡ଼ା ଯବାବ ଦିଆଯାଉଛି ସେ ସଂପର୍କରେ ଭଲଭାବେ ଅବଗତ ହେବା ଆବଶ୍ୟକ ବୋଲି ବିଜେପି କହିଛି। ଗୁଜରାଟ ପ୍ରସଙ୍ଗରେ ରାହୁଲଙ୍କ ବୟାନକୁ ମଧ୍ୟ ଆପ୍‌ କଟାକ୍ଷ କରିଛି। ଆପ୍‌ ନେତା ରାଘବ ଚଢ଼ା କହିଛନ୍ତି, କଂଗ୍ରେସ ଗୁଜରାଟରେ ୨୭ ବର୍ଷ ହେଲା କିଭଳି ଜିତି ଆସୁଛି ତାହାକୁ ଲୋକେ ଦେଖିଛନ୍ତି।