ନୂଆଦିଲ୍ଲୀ : ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଭାରତର ଅନୁରୋଧରେ ଏହି ଆଲୋଚନା ହୋଇଥିବା ଚୀନ କହୁଥିବାବେଳେ ଚୀନର ଅନୁରୋଧରେ ଏହା ହୋଇଥିଲା ବୋଲି ଭାରତ କହିଛି ।

Advertisment

ଏବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଟାର୍ଗେଟ୍ କରାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ମିଛ କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧି କାର୍ଗିଲରେ ଏକ ସାଧାରଣ ସଭାରେ କହିଛନ୍ତି ଯେ ଚୀନ୍ ଭାରତର ଜମି ଛଡ଼ାଇ ନେଇଛି। ଦୁଃଖର କଥା ହେଉଛି ବିରୋଧୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଲଦାଖର ଗୋଟିଏ ଇଞ୍ଚ ବି ଚୀନ ନେଇନାହିଁ, ଏହା ମିଛ କଥା।

ସେପଟେ ଏଆଇଏମଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସି ମଧ୍ୟ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ମୁଁ ବିଜେପିକୁ ପଚାରିବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ କାହିଁକି ଚୀନ୍ ରାଷ୍ଟ୍ରପତିଙ୍କ ପଛରେ କଥା ହେବାକୁ ଦୌଡ଼ୁଛନ୍ତି ?”

ରାହୁଲଙ୍କ ଏହି ପ୍ରଶ୍ନର ଜବାବ ଦେଇଛି ବିଜେପି । ବିଜେପି ମୁଖପାତ୍ର ଡ.ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କୁ ଚୀନର କଥା କାହିଁକି ଶୁଣିବାକୁ ଭଲ ଲାଗୁଛି ? ଡୋକଲାମ ସଂକଟ ସମୟରେ ରାହୁଲ ଚୀନ ରାଜଦୂତଙ୍କ ସହ ଖାଉଥିଲେ ଓ ଏକଥା ଖୋଦ ଚୀନ ପକ୍ଷରୁ କୁହାଯାଇଥିଲା ।