ନୂଆଦିଲ୍ଲୀ: ହରିୟାଣା ନିର୍ବାଚନ ୨୦୨୪ ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଦେଶରେ ଅଳ୍ପ କିଛି ଲୋକ ବାହାଘରରେ ହଜାର ହଜାର କୋଟି ବ୍ୟୟ କରୁଛନ୍ତି, କିନ୍ତୁ ସାଧାରଣ କୃଷକ ନିଜ ସନ୍ତାନଙ୍କ ବିବାହ ପାଇଁ କରଜ କରିବାକୁ ବାଧ୍ୟ ହେଉଛି ।
ମଙ୍ଗଳବାର ବାହାଦୁରଗଡ଼ରେ ନିର୍ବାଚନ ପ୍ରଚାର ସମୟରେ ସେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିର୍ମିତ ଢାଞ୍ଚା ଉପରେ ପ୍ରଶ୍ନ ଉଠାଇନଥିଲେ ବରଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପୁଅର ବିବାହ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସାଧାରଣ ସଭାରେ ରାହୁଲ ଗାନ୍ଧି ପ୍ରଶ୍ନ କରିଥିଲେ, ଆପଣ କେବେ ଅମ୍ବାନୀଙ୍କ ବିବାହ ଦେଖିଛନ୍ତି କି? ସେମାନେ ବିବାହ ରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ଏହା କାହାର ଟଙ୍କା? ଏହା ହେଉଛି ଆପଣଙ୍କ ଟଙ୍କା (ସାଧାରଣ ଲୋକଙ୍କ ଟଙ୍କା)।
ରାହୁଲ କହିଛନ୍ତି "ମୋଦୀଜୀ ଆପଣମାନଙ୍କ ବ୍ୟାଙ୍କଖାତାରୁ ଟଙ୍କା ନେଇ ମୁକେଶ ଅମ୍ବାନିଙ୍କୁ ଦେଇଛନ୍ତି । ସେହି ଟଙ୍କାରେ ସେ ନିଜ ପୁଅ ବାହାଘର କରିଛନ୍ତି ।"
ୟୁପିର ରାଏବରେଲିର କଂଗ୍ରେସ ସାଂସଦ ଆହୁରି କହିଛନ୍ତି, ଆପଣମାନେ ପିଲାଙ୍କ ବିବାହ ପାଇଁ ବ୍ୟାଙ୍କରୁ ଋଣ ନେଇଥାନ୍ତି, କିନ୍ତୁ ନରେନ୍ଦ୍ର ମୋଦୀ ଏପରି ଏକ ଢାଞ୍ଚା ତିଆରି କରିଛନ୍ତି, ଯାହା ଅଧୀନରେ କେବଳ ୨୫ ଜଣ ବିବାହ ରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରିବେ ଏବଂ ଦେଶର କୃଷକ ଋଣରେ ବୁଡ଼ିବା ପରେ ହିଁ ପିଲାଙ୍କ ବିବାହ କରିବାକୁ ସକ୍ଷମ ହୋଇପାରେ । ଯଦି ଏହା ସମ୍ବିଧାନ ଉପରେ ଆକ୍ରମଣ ନୁହେଁ, ତେବେ ଏହା କ'ଣ?