ଏମ୍‌ପି, ରାଜସ୍ଥାନରେ କଂଗ୍ରେସ ବିଧାୟକ ବୈଠକ ଶେଷ : ଛିଡ଼ୁନି ମୁଖ୍ୟମନ୍ତ୍ରୀ ବିବାଦ

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ସରକାର ଗଠନ କରିବାକୁ ଯାଉଛି କଂଗ୍ରେସ। କିନ୍ତୁ ଏହି ରାଜ୍ୟଗୁଡ଼ିକରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ଥିର ହୋଇପାରୁ ନାହିଁ। ରାଜ୍ୟ କଂଗ୍ରେସ‌େର ଏହାକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି। ନେତା ବାଛିବା ଲାଗି ଆଜି ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ନବନିର୍ବାଚିତ ବିଧାୟକମାନଙ୍କର ବୈଠକ ହୋଇଥିଲା। କେନ୍ଦ୍ରୀୟ ପର୍ଯ୍ୟ‌େବକ୍ଷକଙ୍କ ଉପସ୍ଥିତିରେ ଦୀର୍ଘ ସମୟ ଧରି ବିଚାର ଆଲୋଚନା ମଧ୍ୟ ଚାଲିଲା। କିନ୍ତୁ ନିଷ୍ପତ୍ତି ନେଇପାରିଲେ ନାହିଁ। ଶେଷରେ ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ବ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଉପରେ ଛାଡ଼ି ଦିଆଗଲା। ମୁଖ୍ୟମନ୍ତ୍ରୀ କିଏ ହେବ, ତାଙ୍କ ନାମର ଘୋଷଣା ଆସନ୍ତାକାଲି କରିବେ ରାହୁଲ ଗାନ୍ଧୀ।

ଉଭୟ ରାଜ୍ୟରେ ବରିଷ୍ଠ କଂଗ୍ରେସ ନେତାମାନେ ଆଜି ସେମାନଙ୍କ ରାଜ୍ୟର ରାଜ୍ୟପାଳଙ୍କୁ ଭେଟିଛନ୍ତି ଏବଂ ସରକାର ଗଠନ ପାଇଁ ଦାବି ମଧ୍ୟ ଜଣାଇଛନ୍ତି। ଯେହେତୁ ନେତା ନିର୍ବାଚିତ ହୋଇ ନାହାନ୍ତି ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରି ନାହାନ୍ତି।

ଭୋପାଳରେ ଆଜି ମଧ୍ୟ ପ୍ରଦେଶର ନବନିର୍ବାଚିତ କଂଗ୍ରେସ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ବରିଷ୍ଠ ନେତା କମଲନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ଉପରେ ଅ‌‌ାଲୋଚନା ଚାଲିଥିଲା। କିନ୍ତୁ ସହମତି ହୋଇ ପାରିନଥିଲା। ଶେଷରେ ଧାଡ଼ିକିଆ ପ୍ରସ୍ତାବ ଗ୍ରହଣ କରାଯାଇ ଏହି ଦାୟିତ୍ବ ରାହୁଲଙ୍କୁ ଛାଡ଼ି ଦିଅଯାଇଥିଲା। ତେବେ ‌ଜଣେ ବିଧାୟକ କହିଛନ୍ତି ଯେ ଅଧିକାଂଶ ବିଧାୟକ କମଳନାଥଙ୍କ ସପକ୍ଷରେ ମତ ଦେଇଥିଲେ। ଏଥିରେ ସିନ୍ଧିଆ ମଧ୍ୟ ରାଜି ହୋଇଥିବା ସେ କହିଛନ୍ତି।

ମଧ୍ୟ ପ୍ରଦେଶରେ କଂଗ୍ରେସକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବରିଷ୍ଠ ନେତା କମଳ ନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଦିଆ। ତେଣୁ ସେମାନଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ, ତାହାକୁ ନେଇ ଦଳୀୟ ହାଇକମାଣ୍ଡ ‌ବେଶ୍‌ ଚିନ୍ତିତ। ତେବେ ଦଳର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ମୁଖ୍ୟମନ୍ତ୍ରୀ ଭାବେ କମଳ ନାଥଙ୍କୁ ଦେଖିବାକୁ ଚାହାନ୍ତି ବୋଲି ସୂଚନା ମିଳିଛି।

ରାଜସ୍ଥାନରେ ବିଧାୟକ ଦଳ ବୈଠକରେ ମଧ୍ୟ ନେତା ନିର୍ବ‌ାଚନ ହୋଇପାରିନଥିଲା। ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କୁ ନେଇ ବୈଠକରେ ମତଭେଦ ରହିଥିଲା। ତେଣୁ ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ବ ମଧ୍ୟ ରାହୁଲଙ୍କୁ ଦିଆଯାଇଛି। ଯାହା ଜଣାପଡ଼ୁଛି ଆସନ୍ତାକାଲି ରାହୁଲ ତାଙ୍କ ନିଷ୍ପତ୍ତି ଜଣାଇବେ। ରାହୁଲ ନିଷ୍ପତ୍ତି ଶୁଣାଇବା ପରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ସେହିଭଳି ଛତିଶଗଡ଼ରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହାକୁ ନେଇ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଦଳୀୟ ନେତାମାନଙ୍କୁ ଫୋନ୍‌ କରି ସେମାନଙ୍କ ପସନ୍ଦ ବିଷୟରେ ପଚାରିଛନ୍ତି। ଏହାକୁ ନେଇ ରାଜ୍ୟ ନେତାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେମାନଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଜଣାଇଛନ୍ତି। ତେବେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଭୂପେଶ ବାଘେଲ ମୁଖ୍ୟ ଦାବିଦାର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର