ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରର ପରିଚୟ ପ୍ରଘଟ କରି ରାହୁଲ ଗାନ୍ଧି ନିୟମ ଉଲ୍ଲଙ୍ଘନ କରିଛନ୍ତି : ଟ୍ବିଟର

ନୂଆଦିଲ୍ଲୀ : ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କ ପରିଚୟ ପ୍ରଘଟ କରି ରାହୁଲ ଗାନ୍ଧି ଟ୍ବିଟର ନିୟମାବଳୀର ଉଲ୍ଲଙ୍ଘନ କରିଛନ୍ତି ବୋଲି ଏହି ସୋସିଆଲ ମିଡିଆ କମ୍ପାନି ପକ୍ଷରୁ କୁହାଯାଇଛି । ଦିଲ୍ଲୀ ହାଇକୋର୍ଟରେ ନିଜର ଜବାବ ରଖି ଟ୍ବିଟର ଇଣ୍ଡିଆ ପକ୍ଷରୁ ଏହା କୁହାଯାଇଛି ।

ଗତ ସପ୍ତାହରେ ରାହୁଲ ଗାନ୍ଧି ଦିଲ୍ଲୀରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ୯ ବର୍ଷର ଦଳିତ ନାବାଳିକାର ପରିବାର ଲୋକଙ୍କୁ ଭେଟିଥିଲେ । ଏ ଭେଟିବା ସମୟର ଫଟୋ ସେ ଟ୍ୱିଟରରେ ସେୟାର କରିଥିଲେ । ତେବେ  ଦୁଷ୍କର୍ମ ପୀଡିତା କି ତାଙ୍କ ପରିବାର ଲୋକଙ୍କ ଫଟୋକୁ ଏଭଳି ସୋସିଆଲ ମିଡିଆରେ ଛାଡ଼ିବା ଏକ ଦଣ୍ଡନୀୟ ଅପରାଧ ବୋଲି କହିଥିଲେ ସୁପ୍ରିମକୋର୍ଟ । ଏହା ପରେ ଟ୍ୱିଟର ରାହୁଲ ଗାନ୍ଧି ଟ୍ୱିଟକୁ ହଟାଇଦେଇଥିଲା ।

ଏହି ମାମଲାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ ନିମନ୍ତେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେବାକୁ  ମକରନ୍ଦ ସୁରେଶ ମାଧଲେକର ନାମକ ଜଣେ ସାମାଜିକ କର୍ମୀ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ କରିଥିଲେ । ଏହି ମାମଲାର ବିଚାର ବେଳେ ନିଜର ପକ୍ଷ ରଖି ଟ୍ବିଟର ଏକଥା କହିଛି ।

ସମ୍ବନ୍ଧିତ ଖବର