ପ୍ରତିରକ୍ଷା ସଂକ୍ରାନ୍ତୀୟ ସଂସଦୀୟ ବୈଠକ ଅଧାରୁ ଉଠି ପଳାଇଲେ ରାହୁଲ, ଲଦାଖ ପ୍ରସଙ୍ଗ ଉଠାଇବାକୁ ଅନୁମତି ଦେଲେନି ଜୁଏଲ୍

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ପ୍ରତିରକ୍ଷା ସଂକ୍ରାନ୍ତୀୟ ସଂସଦୀୟ କମିଟି ବୈଠକ ଅଧାରୁ ଉଠି ପଳାଇଯାଇଛନ୍ତି | ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ସଂସଦୀୟ କମିଟି, ସଶସ୍ତ୍ର ବାହିନୀର ୟୁନିଫର୍ମ ଉପରେ ଆଲୋଚନା କରି ସମୟ ନଷ୍ଟ କରିଛି, ଯେତେବେଳେ କି ସୈନ୍ୟବାହିନୀକୁ କିପରି ସୁଦୃଢ କରାଯିବ ସେ ନେଇ ଆଲୋଚନା ହେବା ଉଚିତ୍। ସୂଚନାନୁସାରେ, ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ୍ ରାୱତ କମିଟିକୁ ସେନାର ୟୁନିଫର୍ମ ବିଷୟରେ ସୂଚନା ଦେଉଥିବା ବେଳେ  ରାହୁଲ ଗାନ୍ଧୀ ଏଥିରେ ହସ୍ତକ୍ଷେପ କରି ଲଦାଖରେ ଦେଶର ପ୍ରସ୍ତୁତି କ’ଣ ରହିଛି ଓ ଚୀନ୍ ବିରୋଧରେ ଆମର ରଣନୀତି କ’ଣ ହେବା ଉଚିତ୍ ବୋଲି ପ୍ରଶ୍ନ ଉଠାଇଥିଲେ |

ରାହୁଲ କହିଛନ୍ତି ଯେ ସେନାର ୟୁନିଫର୍ମ ଉପରେ ଆଲୋଚନା କରିବା ପରିବର୍ତ୍ତେ ଜାତୀୟ ନିରାପତ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ଉଚିତ। ଆଉ କମିଟିର ଅଧ୍ୟକ୍ଷ ଥିବା ବରିଷ୍ଠ ସାଂସଦ ଜୁଏଲ ଓରାମ ରାହୁଲ ଗାନ୍ଧୀଙ୍କୁ ବୈଠକ ଅଧାରେ ଏପରି ପ୍ରସଙ୍ଗ ଉଠାଇବାକୁ ବାରଣ କରିଥିଲେ। ଏହା ପରେ ରାହୁଲ ଗାନ୍ଧୀ ବୈଠକ ବର୍ଜନ କରି ସେଠାରୁ ଚାଲି ଆସିଥିଲେ |

ବୈଠକ ପୂର୍ବରୁ ରାହୁଲ ଗାନ୍ଧୀ ନିଜ ଟୁଇଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ, ଚୀନ୍ ଭାରତୀୟ ସୀମାରେ ପ୍ରବେଶ କରି ବହୁ ଜମି ଦଖଲ କରିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌କୁ ଭୟ କରୁଛନ୍ତି, ତେଣୁ ସେ କିଛି କାର୍ଯ୍ୟାନୁଷ୍ଠାନ ନେବାକୁ ଅସମର୍ଥ ଅଟନ୍ତି |

ସମ୍ବନ୍ଧିତ ଖବର