ରାହୁଲ୍‌ ଗାନ୍ଧୀ ପ୍ରଧାନମନ୍ତ୍ରୀ ‌ହେବେ ‌ବୋଲି କହିଲେ କର୍ଣ୍ଣାଟକ ମଠର ସାଧୁ

ବେଙ୍ଗାଲୁରୁ: ରାହୁଲ୍‌ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଆଜି କର୍ଣ୍ଣାଟକସ୍ଥିତ ଲିଙ୍ଗାୟତ ସେମିନାରିର ଜଣେ ସାଧୁ ଆଶୀର୍ବାଦ କରିବା ପରେ ଆଉ ଜଣେ ସାଧୁ ଆସି କଥା ବଦଳାଇ ଦେଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ରାହୁଲ୍‌ ଗାନ୍ଧୀ ଚିତ୍ରଦୁର୍ଗାସ୍ଥିତ ‘ଶ୍ରୀମୁରୁଗରାଜେନ୍ଦ୍ର ମଠ’ର ସାଧୁମାନଙ୍କୁ ଭେଟିବା ବେଳେ ବାବେରି ହୋସାମଠସ୍ବାମୀ ନାମରେ ଜଣେ ସାଧୁ ଭାଷଣ ଦେବା ବେଳେ କହିଲେ, ରାହୁଲ୍‌ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ। ଏ କଥା ଶୁଣି ମଠର ଅଧ୍ୟକ୍ଷ ଶ୍ରୀଶିବମୂର୍ତ୍ତି ମୁରୁଗା ଶରନାରୁ ତାଙ୍କୁ ବାଧା ଦେଇ କଥା ବଦଳାଇ କହିଲେ, ଆମ ମଠକୁ ଯିଏ ଆସନ୍ତି, ସେମାନେ ଆଶିଷ ଲାଭ କରନ୍ତି।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ଜନସଂଖ୍ୟାର ପ୍ରାୟ ୧୭% ହେଉଛନ୍ତି ଲିଙ୍ଗାୟତ ଓ ସେମାନେ ଦୀର୍ଘ ଦିନରୁ ‘ବିଜେପି’କୁ ଭୋଟ୍‌ ଦେଇ ଆସୁଛନ୍ତି। ଆସନ୍ତା ବର୍ଷ ମେ ମାସରେ ହେବାକୁ ଥିବା କର୍ଣ୍ଣାଟକ ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ଜନସାଧାରଣଙ୍କ ନିକଟତର ହେବା ଏବଂ ଦଳର ସଙ୍ଗଠନକୁ ସୁଦୃଢ଼ କରବା ଲାଗି ରାହୁଲ୍‌ ଗାନ୍ଧୀ କର୍ଣ୍ଣାଟକ ଗସ୍ତ କରିଛନ୍ତି।

Image Courtesy of Nrjaclub

ସୂଚନାଯୋଗ୍ୟ, ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ କ୍ଷମତାରେ ରହିବା ପରେ ୨୦୧୮ ନିର୍ବାଚନରେ କଂଗ୍ରେସ ‘ଜନତା ଦଳ(ସିକ୍ୟୁଲାର୍‌)’ ସମର୍ଥନରେ ସ୍ବଳ୍ପ ସମୟ ପାଇଁ ସରକାର ଗଠନ କରିଥିଲା। ସରକାର ଗଠନର ବର୍ଷକ ପରେ ମେଣ୍ଟର ବିଧାୟକମାନେ ଇସ୍ତଫା ଦେବାରୁ ‘ଜେଡିଏସ୍‌’ ନେତା ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ବାଧୀନ ସରକାରର ପତନ ଘଟିଥିଲା।

ଏହା ପରେ ‘ବିଜେପି’ ଲିଙ୍ଗାୟତ ସମ୍ପ୍ରଦାୟର ‌ବି.ଏସ୍‌. ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲା। ଗତବର୍ଷ ତାଙ୍କ ପରିବର୍ତ୍ତେ ଲିଙ୍ଗାୟତ ସମ୍ପ୍ରଦାୟର ବସବରାଜ ବୋମ୍ମାଇଙ୍କୁ ‘ବିଜେପି’ ମୁଖ୍ୟମନ୍ତ୍ରୀ କରାଇଛି।

ସମ୍ବନ୍ଧିତ ଖବର