ଚଣ୍ଡୀଗଡ଼: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯିବାର ଏକ ସପ୍ତାହ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପରିବାରକୁ ଭେଟିବେ। ସେ ଆସନ୍ତାକାଲି ପଞ୍ଜାବର ମାନସା ଜିଲ୍ଲାରେ ଅବସ୍ଥିତ ସିଦ୍ଧୁ ମୁସେୱାଲାଙ୍କ ଗାଁ ମୁସା ଗସ୍ତ କରିବେ ବୋଲି ଜଣାପଡ଼ିଛି। ତେବେ ମୁସେୱାଲା ମଧ୍ୟ ଜଣେ କଂଗ୍ରେସ ନେତା ଥିଲେ ଏବଂ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ମାନସା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ଏଥିରେ ୬୭,୦୦୦ ଭୋଟରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ବିଜୟ ସାଙ୍ଗଲାଙ୍କଠାରୁ ତାଙ୍କୁ ହାରିବାକୁ ପଡିଥିଲା।
ଏହାପୂର୍ବରୁ ଆଜି ବରିଷ୍ଠ ନେତା ସଚିନ ପାଇଲଟ ମଧ୍ୟ ସିଦ୍ଧୁ ମୁସେୱାଲାଙ୍କ ଗାଁରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଭେଟିଥିଲେ। କେବଳ ସଚିନ ପାଇଲଟ ନୁହନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମୁସେୱାଲାଙ୍କ ପରିବାକୁ ଭେଟି ସାରିଛନ୍ତି। ଭଗୱନ୍ତ ମାନ୍ ୪୨୪ଜଣ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ସିଦ୍ଧୁଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏହି ଘଟଣା ପରେ ପୁଣି ଥରେ ୪୨୪ଜଣ ଭିଆଇପିଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଥିଲେ ମାନ୍।
ତେବେ ସିଦ୍ଧୁ ମୁସେୱାଲାଙ୍କ ପରିବାର ସଦସ୍ୟ ତାଙ୍କ ହତ୍ୟା ଘଟଣାର ତଦନ୍ତ ସିବିଆଇ କିମ୍ବା ଏନଆଇଏ କରୁ ବୋଲି ଦାବି କରିଛନ୍ତି। ତାଙ୍କ ପରିବାର ସଦସ୍ୟ ରବିବାର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟି ଏହି ଦାବି କରିଛନ୍ତି। ଅନ୍ୟପକ୍ଷରେ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ପଞ୍ଜାବ ପୁଲିସ ହରିୟାଣାରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏପର୍ଯ୍ୟନ୍ତ ହରିୟାଣାରୁ ତିନି ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ଏହି ତିନିଜଣ ଫତେହାବାଦ ଜିଲ୍ଲାର ବାସିନ୍ଦା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ସ-29.jpg)