ନୂଆଦିଲ୍ଲୀ: କେରଳର ୱାଏନାଡରୁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି ତାଲିକା ସାମ୍ନାକୁ ଆସିଛି। ଜାଣିବାକୁ ମିିଳିଛି ଯେ ରାହୁଲଙ୍କ ନିକଟରେ ୨୦ କୋଟି ଟଙ୍କା ଅଛି। ତାଙ୍କ ନାମରେ କୌଣସି ଫ୍ଲାଟ୍ କିମ୍ବା ଯାନର ମାଲିକାନା ନାହିଁ।
ଗାନ୍ଧୀଙ୍କର ପ୍ରାୟ ୯.୨୪ କୋଟି ଟଙ୍କାର ଅସ୍ଥାବର ସଂପତ୍ତି ରହିିଥିବା ବେଳେ ଏଥିରେ ନଗଦ ୫୫ ହଜାର ଟଙ୍କା, ୨୬.୨୫ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା ବଣ୍ଡ୍, ସେୟାର ମାର୍କେଟରେ ୪.୩୩ କୋଟି ଟଙ୍କା ଓ ମ୍ୟୁଚୁଆଲ୍ ଫଣ୍ଡ୍ରେ ୩.୮୧ କୋଟି ଟଙ୍କାର ନିବେଶ, ସୁନା ବଣ୍ଡରେ ୧୫.୨୧ ଲକ୍ଷ ଓ ୪.୨୦ ଲକ୍ଷ ଟଙ୍କାର ଅଳଙ୍କାର ରହିଛି।
କଂଗ୍ରେସ ନେତାଙ୍କର ୧୧.୧୫ କୋଟି ଟଙ୍କାର ସ୍ଥାବର ସଂପତ୍ତି ରହିଛି। ସେଥିରେ ତାଙ୍କର ଚାଷ ଜମି ରହିଛି, ଯାହାକି ଉଭୟ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନାମରେ ଅଛି। ସେହିପରି ଗୁରୁଗ୍ରାମରେ ୯ କୋଟି ଟଙ୍କାର ଏକ ଅଫିସ୍ ସ୍ପେସ୍ ରହିଛି।
ମେଗା ରୋଡ୍ ସୋ’ ପରେ ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗତକାଲି କେରଳର ୱାଏନାଡରୁ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି। ଏହାପୂର୍ବରୁ ସେ ଏକ ରୋଡ୍ ସୋ କରିଥିଲେ ଯେଉଁଥିରେ କଂଗ୍ରେସର ସାଧାରଣ ସମ୍ପାଦକ ତଥା ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।
ରାହୁଲ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନରେ ୪ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ୱାଏନାଡ ଆସନ ଜିତିଥିଲେ। ଚଳିତ ବର୍ଷ ରାହୁଲ କେତେ ଭୋଟରେ ଆଗରେ ରହିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି।