ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଚୀନ ସେନା ଭାରତୀୟ ଯବାନମାନଙ୍କୁ ପିଟିଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟକୁ ବିରୋଧୀମାନେ ପ୍ରବଳ ବିରୋଧ କରିଥିଲେ। ଏହି ବିବାଦ ଲୋକଙ୍କ ମନରୁ ଯାଇ ନଥିବାବେଳେ ସମସ୍ତଙ୍କୁ ଚକିତ କରିବା ଭଳି ରାହୁଲଙ୍କର ଏକ ବୟାନ ସାମ୍ନାକୁ ଆସିଛି। ସେନାର ଅବସରପ୍ରାପ୍ତ ଅଧିକାରୀମାନଙ୍କ ସହ ଏକ ବୈଠକରେ ରାହୁଲ କହିଛନ୍ତି ଚୀନ ଓ ପାକିସ୍ତାନ ଏବେ ଏକାଠି ହୋଇଛନ୍ତି। ସେମାନେ ଭାରତକୁ ଆଶ୍ଚର୍ଯ୍ୟ ହେବା ଭଳି ଯୋଜନା ରଚୁଛନ୍ତି। ଯଦି କୌଣସି ଯୁଦ୍ଧ ହୁଏ ତାହେଲେ ଭାରତକୁ ଏହି ଦୁଇ ଦେଶ ସହ ମିଳିତଭାବେ ଲଢ଼ିବାକୁ ହେବ।
ରାହୁଲଙ୍କ ୟୁଟ୍ୟୁବ ଚାନେଲରେ ରବିବାର ଏହା ପ୍ରସାର କରାଯାଇଛି।

Advertisment

ଚୀନ ଓ ପାକିସ୍ତାନ ହେଉଛନ୍ତି ଆମର ଦୁଇ ଶତ୍ରୁ। ତେଣୁ ସେମାନଙ୍କୁ ଅଲଗା ରଖିବା ଥିଲା ଆମ ବିଦେଶ ନୀତିର ଅଂଶ। କିନ୍ତୁ ସେମାନେ ଏବେ ମିଶିଯାଇଛନ୍ତି। କେବଳ ସାମରିକ ନୁହେଁ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସେମାନେ ‌ଏକାଠି ହୋଇଛନ୍ତି। ଚୀନର ଅର୍ଥନୀତି ଦ୍ରୁତଗତିରେ ଆଗକୁ ବଢ଼ୁଥିବ‌ାବେଳେ ୨୦୧୪ ପରେ ଆମ ଅର୍ଥନୀତି ତଳକୁ ଯାଉଛି। ଭାରତର ସ୍ଥିତି ଏବେ ଅତ୍ୟନ୍ତ ବିପଜ୍ଜନକ ରହିଛି। ସେଥିପାଇଁ ସରକାର ପାଟି ଚୁପ କରି ରହିପାରିବେ ନାହିଁ। ସୀମାରେ କ’ଣ ଘଟିଛି ସରକାର ତାହା ଦେଶବାସୀଙ୍କୁ ଜଣାନ୍ତୁ। ଯଦିଓ ୫ ବର୍ଷ ପୂର୍ବରୁ ଦେଶକୁ ପଦକ୍ଷେପ ନେବାର ଥିଲା ତଥାପି ଆଜିଠାରୁ ପଦକ୍ଷେପ ନେବାପାଇଁ ସେ ଆହ୍ବାନ କରିଛନ୍ତି। ତୁରନ୍ତ ପଦକ୍ଷେପ ନନେଲେ ଦେଶ ପ୍ରଭାବିତ ହେବ ବୋଲି ସେ କହିଛନ୍ତି।