ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ପ୍ରଚାର ଶେଷ ହୋଇଥିବା ବେଳେ କଂଗ୍ରେସ ନେତା ତଥା  ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଔରଙ୍ଗାବାଦ ଜିଲ୍ଲାର କୁଟୁମ୍ବାରେ ଏକ ରାଲିରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଭାରତର ମାତ୍ର ୧୦% ଜନସଂଖ୍ୟା ତଥା ଉଚ୍ଚ ଜାତିର ଲୋକେ ଏବେ ସେନା, ନ୍ୟାୟପାଳିକା, ପ୍ରଶାସନ ଓ ୫୦୦ ବୃହତ୍ କମ୍ପାନିକୁ ନିୟନ୍ତ୍ରଣ କରୁଛନ୍ତି। ଅନ୍ୟପକ୍ଷରେ ୯୦% ଜନତା (ଦଳିତ, ପଛୁଆ, ଅତି ପଛୁଆ, ଆଦିବାସୀ ଓ ଅଳ୍ପସଂଖ୍ୟକ) ସମସ୍ତ କ୍ଷମତା, ସମ୍ପତ୍ତି ଓ ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଏହି ମନ୍ତବ୍ୟ ରାଜନୈତିକ ଝଡ଼ ସୃଷ୍ଟି କରିଛି, ବିଜେପି ତାଙ୍କୁ ସେନାକୁ ଜାତି ଆଧାରରେ ବିଭାଜନ କରିବା ଓ ଜାତୀୟ ଅନୁଷ୍ଠାନକୁ ଅପମାନ କରିବା ଅଭିଯୋଗରେ କଡ଼ା ସମାଲୋଚନା କରିଛି।

Advertisment

ରାହୁଲ କହିଛନ୍ତି,  ଦେଶର ୯୦% ଲୋକ ଦଳିତ, ପଛୁଆ, ଅତି ପଛୁଆ ଓ ଅଳ୍ପସଂଖ୍ୟକ ବର୍ଗରେ ଥିବା ବେଳେ  ୫୦୦ ବୃହତ୍ କମ୍ପାନି, ସେନା, ନ୍ୟାୟପାଳିକାରେ ସେମାନଙ୍କର ପ୍ରତିନିଧିତ୍ୱ ନାହିଁ। ଏସବୁ ୧୦% ଲୋକେ ନିୟନ୍ତ୍ରଣ କରୁଥିବାରୁ ସମସ୍ୟା ବଢ଼ିଛି।   ସମ୍ବିଧାନ ରକ୍ଷା ଓ ସାମାଜିକ ନ୍ୟାୟ ପାଇଁ ଜାତି ଜନଗଣନା ଜରୁରୀ ବୋଲି ସେ କହିଛନ୍ତି।  ବିଜେପି କହିଛି ରାହୁଲ ସେନାକୁ ଜାତି ଆଧାରରେ ବିଭାଜନ କରିବା ଲଜ୍ଜାଜନକ। ଏହା ଦେଶ ପ୍ରତି ଅପମାନ ଏବଂ ଅତ୍ୟନ୍ତ ବିଭାଜନକାରୀ।  ସୋସିଆଲ ମିଡିଆରେ ଅନେକ ରାହୁଲଙ୍କୁ ଦେଶବିରୋଧୀ ବୋଲି କହି ସମାଲୋଚନା କରିଛନ୍ତି।