ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭଗବାନ ପ୍ରେରିତ’ ଟିପ୍ପଣୀକୁ ପରିହାସ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି, ଗରିବଙ୍କୁ ନୁହେଁ ବରଂ ଗୌତମ ଆଦାନି ଏବଂ ମୁକେଶ ଅମ୍ବାନିଙ୍କ ପରି ଶିଳ୍ପପତିଙ୍କୁ ସାହାଯ୍ୟ କରିବାପାଇଁ ‌ମୋଦୀଙ୍କୁ ତାଙ୍କ ‘ପରମାତ୍ମା’ଙ୍କ ଦ୍ବାରା ପଠାଯାଇଛି। ଉତ୍ତରପ୍ରଦେଶର ଦେଓରିଆରେ ରାହୁଲ ଏକ ନିର୍ବାଚନ ରାଲିରେ କହିଛନ୍ତି, ମୋଦୀଙ୍କର ଯେଉଁ ଭଗବାନଙ୍କ ଉପରେ ବିଶ୍ବାସ ଅଛି ସେ ତାଙ୍କୁ କୃଷକ ଓ ଶ୍ରମିକଙ୍କ ସେବା କରିବାପାଇଁ ପଠାଇନାହାନ୍ତି। ମୋଦୀଙ୍କୁ ପରିହାସ କରି ରାହୁଲ କହିଛନ୍ତି, ଅନ୍ୟମାନଙ୍କ ପରି ନରେନ୍ଦ୍ର ମୋଦୀଜୀ ମଣିଷ ନୁହନ୍ତି। ମୋଦୀ ଉପରୁ ଓହ୍ଲାଇଛନ୍ତି। ତାଙ୍କୁ ପରମାତ୍ମା ହିନ୍ଦୁସ୍ତାନ ପଠାଇଛନ୍ତି। କୃଷକ, ଶ୍ରମିକ ଏବଂ ଗରିବଙ୍କୁ ନୁହେଁ ବରଂ ଅମ୍ବାନି ଏବଂ ଆଦାନିଙ୍କୁ ସାହାଯ୍ୟ କରିବାପାଇଁ ତାଙ୍କ ପରମାତ୍ମା ତାଙ୍କୁ ପଠାଇଛନ୍ତି। ଏହା କି ପ୍ରକାର ପରମାତ୍ମା। ରାଲିରେ ରାହୁଲ ଗାନ୍ଧୀ କହିଛନ୍ତି, ‌ସେ ଅଗ୍ନିପଥ ଯୋଜନାକୁ ଉଚ୍ଛେଦ କରି ଏହାକୁ ଡଷ୍ଟବିନ୍‌ରେ ପକାଇଦେବେ ଏବଂ ଯୁବଗୋଷ୍ଠୀକୁ ନ୍ୟାୟ ପ୍ରଦାନ କରିବେ।