ନୂଆଦିଲ୍ଲୀ: ଅଗଷ୍ଟ ୨ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକାକୁ ସାମାଜିକ ଗଣମାଧ୍ୟମ ‘ଡିସ୍ପ୍ଲେ ପିକ୍ଚର୍’(ଡିପି) କରନ୍ତୁ ବୋଲି ମଙ୍ଗଳବାର ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୯୧ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ କଥା ମାନି ଅନେକ ଦେଶବାସୀ ନିଜର ଡିପି ବଦଳାଇଥିବା ବେଳେ ସବୁ କଥାରେ ବିରୋଧ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କଥା ମାନିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କଥା ମାନି ରାହୁଲ ଗାନ୍ଧୀ ନିଜ ଟ୍ବିଟର ଓ ଫେସବୁକ ଆକାଉଣ୍ଟର ଡିପି ବଦଳାଇଥିବା ଦେଖାଯାଇଛି। ପ୍ରୋଫାଇଲ ଫଟୋରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଜାତୀୟ ପତାକା ଧରିଥିବାର ଫଟୋ ରହିଛି। ଏହି ଫଟୋକୁ ଟ୍ବିଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ତ୍ରିରଙ୍ଗା ହେଉଛି ଦେଶର ଗର୍ବ। ଏହା ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଅଛି। ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ନିଜର ଡିପି ବଦଳାଇ ଜବାହରଲାଲ ନେହେରୁ ଜାତୀୟ ପତାକା ଧରିଥିବାର ଫଟୋ ରଖିଥିବା ଦେଖାଯାଇଛି।
ତେବେ ଅଗଷ୍ଟ ୨ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକାକୁ ସାମାଜିକ ଗଣମାଧ୍ୟମ ‘ଡିସ୍ପ୍ଲେ ପିକ୍ଚର୍’(ଡିପି) କରିବାକୁ କହିବା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଗଣ ଆନ୍ଦୋଳନ ରୂପ ଧାରଣ କରୁଥିବା ଜାଣି ମୁଁ ଖୁବ୍ ଆନନ୍ଦିତ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଏବଂ ସମାଜର ସବୁ ବର୍ଗର ଲୋକେ ବିଭିନ୍ନ ସମାରୋହରେ ଅଂଶଗ୍ରହଣ କରୁଛନ୍ତି। ‘ସ୍ବାଧୀନତାର ଅମୃତ ମହୋତ୍ସବ’ରେ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ହେଉଛି ଗୋଟାଏ ବିଶେଷ ସମୟ। ଏହି ତିନି ଦିନ ‘ହର୍ ଘର୍ ତ୍ରିରଙ୍ଗା’ ଆୟୋଜନ କରାଯିବ। ଚାଲନ୍ତୁ, ଘରେ ଜାତୀୟ ପତାକା ଉତ୍ତୋଳନ କରି ଏହି ଆନ୍ଦୋଳନକୁ ଆହୁରି ଆଗେଇ ନେବା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସ-19.jpg)