ପାଟନା: ବିହାର ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଆରଜେଡି ନିଜର ସହଯୋଗୀ କଂଗ୍ରେସ ଉପରେ ଆକ୍ରମଣ କରଛି। ଦଳର ଉପ-ସଭାପତି ଶିବାନନ୍ଦ ତିୱାରୀ ମହାଗଠବନ୍ଧନ କ୍ଷମତା ଦଖଲ କରି ନ ପାରିବା ଘଟଣାରେ ରାହୁଲ ଗାନ୍ଧୀଙ୍କ ପ୍ରଦର୍ଶନକୁ ଦାୟୀ କରିଛନ୍ତି।
ବିହାରରେ ନିର୍ବାଚନ ପ୍ରଚାର ଯେତେବେଳେ ଜୋରସୋରରେ ଚାଲିଥିଲା, ସେତେବେଳେ ରାହୁଲ ଗାନ୍ଧୀ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ଶିମଲା ଘରେ ପିକ୍ନିକ୍ କରିବାରେ ବ୍ୟସ୍ତ ଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ରାହୁଲ ଗାନ୍ଧୀ ବିହାର ନିର୍ବାଚନକୁ କେତେ ଗମ୍ଭୀରତାର ସହ ନେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ତିଓ୍ଵାରୀ। ବିହାର ନିର୍ବାଚନ ପରିପ୍ରେକ୍ଷୀରେ ମହାଗଠବନ୍ଧନ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ବିରୁଦ୍ଧରେ ଏକ ଶକ୍ତିଶାଳୀ ବିରୋଧୀ ରୂପେ ଉଭା ହେବାର ସମସ୍ତ ସମ୍ଭାବନା ରହିଥିବା ବେଳେ ରାହୁଲ ଗାନ୍ଧୀ ଏହାର ବାସ୍ତବତାକୁ ନ ବୁଝି ସବୁକିଛି ଧୂଳିସାତ୍ କରିଦେଲେ।
ରାହୁଲ ଗାନ୍ଧୀ ମହାଗଠବନ୍ଧନ ଓ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ, କିନ୍ତୁ ସେ ବିହାରରେ ମାତ୍ର ତିନି ଦିନ ପ୍ରଚାର କରବା ପରେ ପିକନିକ କରିବା ପାଇଁ ଭଉଣୀ ପ୍ରିୟଙ୍କାଙ୍କ ଶିମ୍ଲା ଘରକୁ ଚାଲି ଯାଇଥିଲେ। ଜିଦ୍କରି ୭୦ଟି ନିର୍ବାଚନମଣ୍ଡଳୀରେ ଲଢ଼ିବା ପାଇଁ ନେଇଥିଲେ କିନ୍ତୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡ଼ାନ୍ତ କରିପାରି ନ ଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ବିହାର ନିର୍ବାଚନକୁ ନେଇ ସେମାନେ କେତେ ଗମ୍ଭୀର ଥିଲେ।
ବିହାର ନିର୍ବାଚନ ପ୍ରଚାର ଅଭିଯାନରେ ପ୍ରିୟଙ୍କା ଗାନ୍ଧୀଙ୍କ ଅନୁପସ୍ଥିତି ଉପରେ ମଧ୍ୟ ଆରଜେଡି ନେତା ତିୱାରୀ ପ୍ରଶ୍ନ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ମହାଗଠବନ୍ଧନ ସପକ୍ଷରେ ପ୍ରଚାର ଅଭିଯାନରେ ଆସନ୍ତୁ ବୋଲି ସମସ୍ତେ ଅନାଇ ବସିଥିବା ବେଳେ ସେ ଧରାଛୁଆଁ ଦେଇ ନ ଥିଲେ। ସର୍ବପୁରାତନ ଦଳ କଂଗ୍ରେସର ଏଇ ଖାମଖିଆଲି ନୀତିଯୋଗୁଁ ବିହାରରେ ମହାଗଠବନ୍ଧନ କ୍ଷମତାକୁ ଆସି ପାରିଲା ନାହିଁ ବୋଲି ଶ୍ରୀ ତିଓ୍ଵାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Rahul-1.jpg)