ଯିଏ କଂଗ୍ରେସରୁ ଯିବାକୁ ଚାହୁଁଛି, ସେ ଯାଇପାରେ : ସଚ୍ଚିନ ପାଇଲଟ ପ୍ରସଙ୍ଗରେ ମୁହଁ ଖୋଲିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ସଚ୍ଚିନ ପାଇଟଲ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସେ କହିଛନ୍ତି ଯେ ଯେଉଁମାନେ କଂଗ୍ରେସ ଛାଡ଼ିବାକୁ ଚାହୁଁଛନ୍ତି, ସେମାନେ ଛାଡ଼ିପାରନ୍ତି । ଏହା ଦ୍ୱାରା ଦଳକୁ ଯୁବ ନେତାଙ୍କ ଆଗମନର ବାଟ ଫିଟିବ ।

କଂଗ୍ରେସର ଛାତ୍ର ସଂଗଠନ ଏନଏସୟୁଆଇର ଏକ ସମ୍ମିଳନୀରେ ସେ କହିଛନ୍ତି ଯେ ଯେଉଁମାନେ ଯିବାକୁ ଚାହୁଁଛନ୍ତି ସେମାନେ ଦଳ ଛାଡ଼ିପାରନ୍ତି । ଏହା ଦ୍ୱାରା କଂଗ୍ରେସକୁ ଆପଣମାନଙ୍କ ପରି ଯୁବ ନେତାଙ୍କ ଆଗମନ ହେବ । ତେବେ ସେ ସଚ୍ଚିନ ପାଇଲଟଙ୍କ ନାଁ ନେଇ ନଥିଲେ ମଧ୍ୟ ତାଙ୍କର ଏହି ବୟାନକୁ ରାଜସ୍ଥାନ ଘଟଣାକ୍ରମ ସହ ଯୋଡ଼ି ଦେଖାଯାଉଛି ।

ରାଜସ୍ଥାନ ସରକାରକୁ ଭାଙ୍ଗିବାକୁ ସଚ୍ଚିନ ଉଦ୍ୟମ କରୁଥିଲେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଥିଲେ ଯେ ସଚ୍ଚିନ ପାଇଲଟ ସରକାର ଭାଙ୍ଗିବା ପାଇଁ ଉଦ୍ୟମ କରୁଥିଲେ । ଏଥିପାଇଁ ସେ ଘୋଡ଼ା ବେପାର ଚଳାଇଥିଲେ । ଏହାର ପ୍ରମାଣ ତାଙ୍କ ପାଖରେ ରହିଛି । ଏହି କାରଣରୁ ବିଧାୟକମାନଙ୍କୁ ଏକ ହୋଟେଲରେ ରଖିବାକୁ ପଡ଼ିଥିଲା ।

ବିଜେପି ଇସାରାରେ ପାଇଲଟ ସରକାର ଭାଙ୍ଗିବାକୁ ଚାହୁଁଥିଲେ ବୋଲି କଂଗ୍ରେସ କହୁଥିବାବେଳେ ସଚିନ ଆଜି ସ୍ପଷ୍ଟ କରିଦେଇଥିଲେ ଯେ ସେ ବିଜେପିରେ ଯୋଗ ଦେଉନାହାନ୍ତି । ଯେଉଁ ଦଳକୁ ହରାଇବାକୁ ସେ ନିର୍ବାଚନ ଲଢିଥିଲେ ସେହି ଦଳରେ ସେ ଯୋଗ ଦେବେ ନାହିଁ ।

ସମ୍ବନ୍ଧିତ ଖବର