କାର୍ଗିଲ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଲଦାଖ ଗସ୍ତରେ ଥିବା ବେଳେ ଆଜି କାର୍ଗିଲରେ ଏକ ଜନସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଚୀନ୍ ଭାରତର ଜମି ଅକ୍ତିଆର କରିନେଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି ଏବଂ ଏହା ସ୍ଥାନୀୟ ଲୋକଙ୍କ ସମସ୍ୟା ବଢ଼ାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଚୀନ୍ ଏହି ଅଂଚଳରେ ୧ ହଜାର କିମିରୁ ଅଧିକ ଅଞ୍ଚଳକୁ ନିଜ ଦଖଲକୁ ନେଇଯାଇଛି ଏବଂ ସରକାର ଦେଶକୁ ଉପଯୁକ୍ତ ସୁରକ୍ଷା ଦେବାରେ ବିଫଳ ହୋଇଛି ବୋଲି ରାହୁଲ ଗାନ୍ଧୀ କହିଥିବା ବେଳେ ବିଜେପି ଏହାର କଡ଼ା ଜବାବ ଦେଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଚୀନ୍ ପ୍ରେମ ସମସ୍ତେ ଜାଣନ୍ତି ଏବଂ ଚୀନ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସୁହାଇଲା ଭଳି ବୟାନ ବାରମ୍ବାର ଦେଇ ରାହୁଲ ଗାନ୍ଧୀ ସର୍ବଦା ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ବୋଲି ବିଜେପି କହିଛି ।
ଚୀନ୍ ପ୍ରତି ରାହୁଲ ଗାନ୍ଧୀଙ୍କ ଏଭଳି ପ୍ରେମ କାହିଁକି ତାହା ସେ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର ସୀମା ସ୍ଥିତି ଅତ୍ୟନ୍ତ ସୁଦୃଢ଼ ହୋଇଛି। ଭାରତ ଯେ କୌଣସି ଅତିକ୍ରମଣ ଉଦ୍ୟମକୁ ତତ୍କାଳ ପଣ୍ଡ କରିଦେବା ସହ ଅତ୍ୟନ୍ତ ପାରଦର୍ଶୀ କୂଟନୀତିରେ ସବୁକିଛି ମୁକାବିଲା କରୁଛି। ଏଭଳି ସ୍ଥିତିରେ ରାହୁଲ ଗାନ୍ଧୀ ଚୀନ୍କୁ ସୁହାଇଲା ଭଳି ବୟାନ ଦେବା ଏବଂ ଡୋକଲାମ ସଙ୍କଟ ସମୟରେ ଚୀନ୍ ରାଷ୍ଟ୍ରଦୂତଙ୍କ ସହ ଭୋଜନ କରିବା ଆଶ୍ଚର୍ଯ୍ୟଜନକ ଥିଲା। ରାହୁଲ ଗାନ୍ଧୀ କେଉଁ ପରିସ୍ଥିତିରେ ଏବଂ କାହିଁକି ଚୀନ୍ ରାଷ୍ଟ୍ରଦୂତଙ୍କୁ ଗୋପନରେ ଭେଟିଥିଲେ ତାହା ସ୍ପଷ୍ଟ କରିବାକୁ ତ୍ରିବେଦୀ ଦାବି କରିଛନ୍ତି। କଂଗ୍ରେସ ଶାସନ ସମୟରେ ହିଁ ଚୀନ୍ ଭାରତର ଜମି ନେବାକୁ ସମର୍ଥ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଭାରତରେ ଗୋଟିଏ ଇଞ୍ଚ ଜମି ବି କେହି ନେଇପାରିବେ ନାହିଁ ବୋଲି ବିଜେପି ମୁଖପାତ୍ର କହିଛନ୍ତି।