ନୂଆଦିଲ୍ଲୀ: ଦିଲ୍ଲୀର କରୋଲ ବାଗର ବାଇକର୍ସ ମାର୍କେଟରେ ମୋଟର ସାଇକଲ ମେକାନିକ୍ମାନଙ୍କ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧି ଗତମାସ ୨୭ ତାରିଖରେ ସମୟ ବିତାଇଥିଲେ। ମେକାନିକମାନଙ୍କୁ ବାଇକ ସଜାଡ଼ିବା ସଂପର୍କରେ ପଚାରି ବୁଝିବା ସହିତ ସେମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ରାହୁଲ ଦେଇଛନ୍ତି। ରବିବାର ରାହୁଲ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଦେଶର ଅଟୋମୋବାଇଲ ଶିଳ୍ପକୁ ମଜଭୁତ କରିବାକୁ ହେଲେ ମେକାନିକମାନଙ୍କୁ ସଶକ୍ତ କରିବା ଜରୁରୀ ବୋଲି ସେ କହିଛନ୍ତି।
ଏଥିସହ ରାହୁଲଙ୍କ ନିକଟରେ ଏକ କେଟିଏମ୍ ୩୯୦ ବାଇକ୍ ରହିଛି। କିନ୍ତୁ ତାହା ଘରେ ପଡ଼ି ରହିଛି। ସୁରକ୍ଷା କର୍ମୀ ତାଙ୍କୁ ଏହି ବାଇକ୍ ଚଲାଇବାକୁ ଅନୁମତି ଦେଉନାହାନ୍ତି ବୋଲି ରାହୁଲ କହିଛନ୍ତି। ଏଥିସହିତ ରାହୁଲଙ୍କୁ ଜଣେ ମେକାନିକ କେବେ ବାହାହେବେ ପଚାରିଥିଲେ। ଏହାର ଉତ୍ତରେ ‘ହଉ ଦେଖିବା’ ବୋଲି ରାହୁଲ କହିଛନ୍ତି। ସେଠାରେ କଥା ହେବା ସହିତ ମେକାନିକ ଉମେଦ ଶାହ, ଭିକି ସେନ ଏବଂ ମନୋଜ ପାଶ୍ବାନଙ୍କ ସହ ଗୋଟିଏ ବାଇକ୍ର ସର୍ଭିସିଂ କାର୍ଯ୍ୟ ରାହୁଲ କରିଛନ୍ତି। ମେକାନିକମାନଙ୍କ କଷ୍ଟ ବୁଝିବାକୁ ଏବଂ ସେମାନଙ୍କ ସ୍ବପ୍ନ ଜାଣିବା ପାଇଁ ପ୍ରୟାସ କରିଥିଲି ବୋଲି ରାହୁଲ କହିଛନ୍ତି।