ନୂଆଦିଲ୍ଲୀ: ଇଂଲାଣ୍ଡର କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ରାହୁଲ ଗାନ୍ଧିଙ୍କ ଭାଷଣ ପାଇଁ ବିଜେପି ଆଜି ରାହୁଲଙ୍କୁ ପୁଣିଥରେ କଡ଼ା ସମାଲୋଚନା କରିଛି। ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି-‘ରାହୁଲ ଗାନ୍ଧି ଆପଣ ନିଜେ ଜଣେ ବୁଦ୍ଧିମାନ ବାଳକ ନୁହନ୍ତି ବୋଲି ଏହାର ଅର୍ଥ ନୁହେଁ ଯେ ଭାରତ ଏକ ଉଜ୍ଜ୍ବଳ ନକ୍ଷତ୍ର ନୁହେଁ।’ ସମ୍ବିତ ପାତ୍ର କହିଛନ୍ତି, ରାହୁଲ ବିଦେଶ ମଞ୍ଚରେ ଭାରତ ବିରୋଧରେ ଯେଭଳି ଅଭିଯୋଗ କରିଛନ୍ତି ପାକିସ୍ତାନ ବି କେବେ ଭାରତ ବିରୋଧରେ ସେମିତି ଅଭିଯୋଗ କରିବାକୁ ସାହସ କରିନି। ଭାରତକୁ ସମାଲୋଚନା କରିବାରେ ରାହୁଲ ପାକିସ୍ତାନକୁ ବି ଟପିଗଲେଣି। ସେ ବିଦେଶ ମାଟିରେ ଲଗାତାର ଭାରତର ଗଣତନ୍ତ୍ର ଓ ନ୍ୟାୟପାଳିକାକୁ ବଦନାମ କରୁଛନ୍ତି। ରାହୁଲ କହିଛନ୍ତି, ଗଣତନ୍ତ୍ର ବିପଦରେ ରହିଛି ଏବଂ ନ୍ୟାୟପାଳକିକୁ କବ୍ଜା କରାଯାଇଛି। ତେବେ ସୁପ୍ରିମକୋର୍ଟ ନିଯୁକ୍ତ ତଦନ୍ତ କମିଟି ଯେତେବେଳେ ପେଗାସସ୍ ମାମଲାର ତଦନ୍ତ ପାଇଁ ସମସ୍ତ ମୋବାଇଲ ଫୋନ୍ ଦାଖଲ କରିବାକୁ କହିଥିଲେ ରାହୁଲ ସେ ସମୟରେ ତାଙ୍କ ଫୋନ୍ ଦେଲେନାହିଁ କାହିଁକି ବୋଲି ସମ୍ବିତ ପ୍ରଶ୍ନ କରିଛନ୍ତି।
ଭାରତକୁ ବର୍ଣ୍ଣନା କରିବାପାଇଁ ସାରା ବିଶ୍ବ ଯେତେବେଳେ ଭଲ ଶବ୍ଦ ବ୍ୟବହାର କରୁଛି ସେ ସମୟରେ ମୁଖ୍ୟ ବିରୋଧୀ ଦଳ ନେତା ବିଦେଶ ମାଟିରେ ଯାଇ ଭାରତ ବିରୋଧରେ ବିଷୋଦ୍ଗାର କରୁଛନ୍ତି। ଭାରତ ନଷ୍ଟ ହୋଇଯାଇଛି ବୋଲି ରାହୁଲ ଦାବି କରିବା ସହ ଭାରତରେ ନିବେଶ କରିବାପାଇଁ ନିରୁତ୍ସାହିତ କରୁଛନ୍ତି । ପାକିସ୍ତାନ ବି ବିଶ୍ବ ମଞ୍ଚରେ ଏଭଳି କରିବାପାଇଁ ସାହସ କରୁନଥିବା ବେଳେ ରାହୁଲ ଏଭଳି କିପରି କରିପାରୁଛନ୍ତି ବୋଲି ସମ୍ବିତ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ରାହୁଲ ତାଙ୍କ କ୍ୟାମ୍ବ୍ରିଜ୍ ଉଦ୍ବୋଧନରେ କହିଥିଲେ ଯେ ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା ନଷ୍ଟ ହୋଇଯାଇଛି ଏବଂ ସମସ୍ତ ସାମ୍ବିଧାନିକ ଅନୁଷ୍ଠାନକୁ ସରକାର ନିଜ ନିୟନ୍ତ୍ରଣକୁ ନେଇଯାଇଛନ୍ତି।