ନୂଆଦିଲ୍ଲୀ: ହିନ୍ଦୁ ଏବଂ ହିନ୍ଦୁତ୍ୱ ପ୍ରସଙ୍ଗ ଭାରତୀୟ ଜନତା ପାର୍ଟିର ମୂଳ ଏଜେଣ୍ଡାରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଅନ୍ୟ ଦଳମାନେ ମୁସଲମାନ ଏବଂ ଅନ୍ୟ ଧର୍ମର ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ବିଜେପିକୁ ଟାର୍ଗେଟ କରନ୍ତି। ତେବେ ଏଥର କିଛି ଅଲଗା ଦେଖିବାକୁ ମିଳୁଛି। ଆସନ୍ତା ବର୍ଷ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ହିନ୍ଦୁ ବନାମ ହିନ୍ଦୁତ୍ୱ ପ୍ରସଙ୍ଗ ଉଠାଇଛି।
ଯଦିଓ ଧର୍ମ ଧର୍ମର ରାଜନୀତିରୁ ନିଜକୁ ଦୂରେଇ ରଖିବାକୁ କଂଗ୍ରେସ ଦାବି କରିଆସୁଛି, କିନ୍ତୁ ଏହି ଆକଳନ ଅନ୍ୟ କିଛି କହୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୨ ଡିସେମ୍ବର ୨୦୨୧ରେ ଜୟପୁରରେ ମହଙ୍ଗାଇ ହଟାଓ ମହାରାଲିକୁ ସମ୍ବୋଧିତ କରିଥିଲେ। ଏଠାରୁ ସେ ହିନ୍ଦୁ ଧର୍ମ ଏବଂ ହିନ୍ଦୁତ୍ୱ ବାବଦରେ କହିବାକୁ ଆରମ୍ଭ କରିଥିଲେ। ସେବେଠାରୁ, ଡିସେମ୍ବର ୨୪ ପର୍ଯ୍ୟନ୍ତ ଅର୍ଥାତ୍ ଏହି ୧୨ ଦିନ ମଧ୍ୟରେ ରାହୁଲ ଗାନ୍ଧୀ ତାଙ୍କ ଭାଷଣ ଏବଂ ଟ୍ୱିଟରେ ହିନ୍ଦୁ ଏବଂ ହିନ୍ଦୁତ୍ୱ ଶବ୍ଦକୁ ୧୧୨ ଥର ବ୍ୟବହାର କରିଛନ୍ତି। କଂଗ୍ରେସର ଏହି ନୂତନ ରାଜନୀତି ବିଷୟରେ ଜାଣନ୍ତୁ।
ମିଳିଥିବା ସୂଚନା ମୁତାବକ ୧୨ ଡିସେମ୍ବରରୁ ୨୪ ଡିସେମ୍ବର ମଧ୍ୟରେ ରାହୁଲ ଗାନ୍ଧୀ ତିନିଟି ବଡ ବଡ ସମାବେଶକୁ ସମ୍ବୋଧିତ କରିଥିଲେ। ସେହିପରି ସମ୍ବୋଧନ ବ୍ୟତୀତ ରାହୁଲ ୧୨ଦିନରେ ୨୯ ଥର ଟ୍ୱିଟ କରିଛନ୍ତି। ସେହିପରି ସଂସଦ ବାହାରେ ଗଣମାଧ୍ୟମ ସହିତ ଚାରିଥର କଥାବାର୍ତ୍ତା କରିଛନ୍ତି। ଟ୍ୱିଟରରେ ରାହୁଲ ଗାନ୍ଧୀ ହିନ୍ଦୁ ଏବଂ ହିନ୍ଦୁତ୍ୱ ଶବ୍ଦକୁ ଆଠଥର ଉଲ୍ଲେଖ କରିଛନ୍ତି।
ଏଥି ସହିତ ରୋଜଗାର, ବେକାରୀ ଏବଂ ମୁଦ୍ରାସ୍ଫୀତି ଶବ୍ଦକୁ ତିନିଥର ଉଲ୍ଲେଖ କରିଛନ୍ତି। ଡିସେମ୍ବର ୧୪ରେ, ସଂସଦ ଗୃହ ବାହାରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ଥରେ ହିନ୍ଦୁ ଶବ୍ଦ ବିଷୟରେ ଉଲ୍ଲେଖ କରିଥିଲେ। କିନ୍ତୁ ଥରେ ବି ରୋଜଗାର, ନିଯୁକ୍ତି, ମହଙ୍ଗାକୁ ନେଇ ପଦୁଟିଏ ବି କହିନଥିଲେ।