ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆକ୍ରାମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ କଡା ସମାଲୋଚନା କରିଛନ୍ତି। ରାହୁଲଙ୍କ ବକ୍ତବ୍ୟ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସ୍ମିତହାସ୍ୟ ଦେଉଥିବା ଦେଖି ରାହୁଲ କହିଥିଲେ, ପ୍ରଧାନମନ୍ତ୍ରୀ ସିନା ହସୁଛନ୍ତି କିନ୍ତୁ ମୋ ସହ ଆଖି ମିଶାଇବାର ସାହସ ତାଙ୍କର ନାହିଁ। କାରଣ ସେ ମିଛ କହିଥାଆନ୍ତି। ମୁଁ ଯେହେତୁ ତାଙ୍କ ମିଥ୍ୟାବାଦିତାର ପ୍ରମାଣ ଦେଉଛି ତେଣୁ ସେ ମୋ ସହ ଆଖି ମିଶାଇ ପାରୁନାହାନ୍ତି।

Advertisment

ଏଥିପୂର୍ବରୁ ନିଜର ବୟାନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ କହିଥିଲେ କି, ଦେଶର ଗରିବ, ଖଟିଖିଆ,କୃଷକ ଓ ମଜଦୁରଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ଟିକିଏ ବି ସ୍ଥାନ ନାହିଁ। ବରଂ ଦେଶର ୩୦ ଜଣ ବଡ଼ ବ୍ୟବସାୟୀଙ୍କ ଲାଗି ସେ ସବୁକିଛି କରିପାରନ୍ତି। ରିଲାଏନ୍ସ ଜିଓର ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବାହାରିବା ଏହାର ଏକ ଉଦାହରଣ। କଳାଧନ ମୂଳୋତ୍ପାଟନ ନାଁରେ ବିମୁଦ୍ରାକରଣ କରି ସରକାର କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀର ବ୍ୟବସାୟୀଙ୍କ ରୋଜଗାର ଛଡ଼ାଇ ନେଇଛନ୍ତି। ବିମୁଦ୍ରାକରଣ କରି ସରକାର କୋଟି କୋଟି ଲୋକଙ୍କୁ ବେରୋଜଗାର କରିଛନ୍ତି।

publive-image

ସେହିପରି ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଫ୍ରାନ୍ସରୁ ରାଫେଲ୍‌ ଲଢ଼ୁଆ ବିମାନ କିଣା ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ୟୁପିଏ ସରକାର ଅମଳରେ ୫୨୦ କୋଟି ଟଙ୍କାରେ ରାଫେଲ୍‌ ବିମାନ କିଣିବା ଲାଗି ଚୁକ୍ତି ହୋଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଗସ୍ତ କରି କାହା ସହ କ’ଣ କଥାବାର୍ତ୍ତା ହେଲେ କେଜାଣି ରାତାରାତ ବିମାନର ମୂଲ୍ୟ ୧୬୦୦ କୋଟି ଟଙ୍କା ହୋଇଗଲା। ଏହି ଦରରେ ଭାରତ ସରକାର ବିମାନ କିଣିବାକୁ ଚୁକ୍ତି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଦେଶବାସୀଙ୍କୁ ରାଫେଲ୍‌ ବିମାନର ଦର କେତେ ତାହା ଜଣାଇବେ ବୋଲି ଘୋଷଣା କରିଥିଲେ। କିନ୍ତୁ ପରେ ସେ କହିଲେ କି ଫ୍ରାନ୍ସ ସରକାରଙ୍କ ସହ ଏକ ଗୁପ୍ତ ଚୁକ୍ତି ହୋଇଥିବାରୁ ଏହି ଦର ପ୍ରକାଶ କରିହେବ ନାହିଁ। ପ୍ରଧାନମନ୍ତ୍ରୀଙ୍କ ପ୍ରରୋଚନାରେ ସେ ଏପରି କରିଥିବା ମନେ ହେଉଛି। ତେବେ ମୁଁ ଫ୍ରାନ୍ସ ଗସ୍ତ ସମୟରେ ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିବା ଗୁପ୍ତ ଚୁକ୍ତି ସଂପର୍କରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ପଚାରିଥିଲି। ସେ ଫ୍ରାନ୍ସ-ଭାରତ ମଧ୍ୟରେ ଏଭଳି କୌଣସି ଚୁକ୍ତି ହୋଇ ନାହିଁ ବୋଲି ପ୍ରକାଶ କରିଥିଲେ। ତେଣୁ ଏହା ସ୍ପଷ୍ଟ ଯେ, ପ୍ରତିରକ୍ଷା ମନ୍ତ୍ରୀ ମିଛ କହିଛନ୍ତି।

publive-image

ଏହାପରେ ରାହୁଲ ମହିଳାମାନଙ୍କ ଉପରେ ବଢ଼ିଚାଲିଥିବା ଅତ୍ୟାଚାର ଉପରେ ପ୍ରଧାନମନ୍ତ୍ରୀ ମୋଦି ତୁଣ୍ଡ ଖୋଲିବାକୁ କାହିଁକି କୁଣ୍ଠାବୋଧ କରୁଛନ୍ତି ସେ ନେଇ ପ୍ରଶ୍ନ ଉଠାଇଥିଲେ। ଏଥିସହ ସେ କେନ୍ଦ୍ର ସରକାର ଶସ୍ୟର ସର୍ବନିମ୍ନ ସହାୟକ ଦର ବଢ଼ାଇ କୃଷକମାନଙ୍କ ଲାଗି ୧୦,୦୦୦ କୋଟି ଖର୍ଚ୍ଚ କରିଥିବା ବେଳେ କେବଳ କର୍ଣ୍ଣାଟକରେ ରାଜ୍ୟ ସରକାର ଚାଷୀଙ୍କ ଲାଗି ୩୪,୦୦୦ କୋଟି ବ୍ୟୟ କରିଥିବା ସେ ନିଜ ବୟାନରେ କହିଥିଲେ।

ବକ୍ତବ୍ୟ ଶେଷରେ ରାହୁଲ ବିଜେପିକୁ କଟାକ୍ଷ କରି କହିଥିଲେ, ମୋ ପ୍ରତି ଆପଣମାନଙ୍କ ମନରେ ଘୃଣା ଭାବ ରହିଛି। ଆପଣମାନେ ମତେ ପପ୍ପୁ ଡାକିବା ସହ ବିଭିନ୍ନ ଗାଳି ମଧ୍ୟ ଦେଉଛନ୍ତି, କିନ୍ତୁ ମୋର ଆପଣଙ୍କ ପ୍ରତି କୌଣସି ବ୍ୟକ୍ତିଗତ ଆକ୍ରୋଶ ଓ ଘୃଣାଭାବ ନାହିଁ। ଏହାକହି ଭାଷଣ ଶେଷ କରି ସେ ନିଜ ସ୍ଥାନରୁ ଉଠି ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ।