ମାନହାନି ମାମଲା: ପାଟନା କୋର୍ଟରେ ହାଜର ହେଲେ ରାହୁଲ

ଜାମିନ୍‌ ମିଳିଲା

ପାଟନା: କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆଜି ଆଉ ଏକ ମାନହାନି ମାମଲାରେ ଜାମିନ ମିଳିଛି। ଲୋକସଭା ନିର୍ବାଚନ ସମୟରେ ବିବାଦୀୟ ଭାଷଣ ଦେଇଥିବାରୁ ରାହୁଲଙ୍କ ବିରୋଧରେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ମାନହାନି ମକଦ୍ଦମା ରୁଜୁ କରିଥିଲେ। ରାହୁଲ ଏହି ମାମଲାରେ ଆଜି ପାଟନାର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର ହୋଇଥିଲେ ଏବଂ ତାଙ୍କୁ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଥିଲା। ମାନହାନି ମାମଲାର ଶୁଣାଣି ଚାଲିଥିବା ବେଳେ କଂଗ୍ରେସ କର୍ମୀମାନେ କୋର୍ଟ ବାହାରେ ସମମେତ ହୋଇ ରାହୁଲ ଗାନ୍ଧୀ ଦଳର ସଭାପତି ପଦରୁ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିନେବାକୁ ଦାବି କରିଥିଲେ। ରାହୁଲ ଲୋକସଭା ନିର୍ବାଚନ ପ୍ରଚାର ବେଳେ କର୍ଣ୍ଣାଟକର କୋଲାରରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ କହିଥିଲେ ଯେ ସବୁ ଚୋରଙ୍କ ଉପନାମ ମୋଦୀ କାହିଁକି ରହିଛି। ଠକେଇ ମାମଲା ଅଭିଯୁକ୍ତ ନିରବ ମୋଦୀ ଏବଂ ଲଳିତ ମୋଦୀଙ୍କ ପ୍ରସଙ୍ଗ ଉଠାଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଭଳି ଆକ୍ଷେପ କରିଥିଲେ। ଏହାକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଥିଲା। ଆଜି ଜାମିନ ପାଇବା ପରେ ରାହୁଲ କହିଛନ୍ତି ବିଜେପି ଏବଂ ଆର୍‌ଏସ୍‌ଏସ୍‌ ତାଙ୍କ ସ୍ବରକୁ ଦବାଇବାକୁ ଷଡ଼ଯନ୍ତ୍ର କରୁଛି, କିନ୍ତୁ ସେ ତାଙ୍କର ସଂଘର୍ଷ ଜାରି ରଖିବେ।

ସମ୍ବନ୍ଧିତ ଖବର