ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ନୂଆ ରୂପରେ ଦେଖିବାକୁ ମିଳିଛି। ରାହୁଲ ଗାନ୍ଧି ଦୀର୍ଘ ଦିନ ପରେ ତାଙ୍କ ଦାଢ଼ି ଟ୍ରିମ୍ କରିଛନ୍ତି ଏବଂ ଚୁଟି କାଟିଦେଇଛନ୍ତି। ଟି-ସାର୍ଟ ଛାଡ଼ି ସେ ସୁଟ୍ ବୁଟ୍ ପିନ୍ଧିଛନ୍ତି। ରାହୁଲଙ୍କୁ ଦୀର୍ଘ ଦିନ ପରେ ସୁଟ୍ ବୁଟ୍ରେ ଦେଖିବାକୁ ମିଳିଛି। ସେ ତାଙ୍କ ଚୁଟି ଓ ଦାଢ଼ି କାଟିବା ଦ୍ବାରା ତାଙ୍କ ଲୁକ୍ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। କେମ୍ବ୍ରିଜ ୟୁନିଭର୍ସିଟିରେ ରାହୁଲ ଭାଷଣ ଦେବାପାଇଁ ଏହି ନୂଆ ରୂପରେ ବାହାରିଛନ୍ତି। ରାହୁଲ ମଙ୍ଗଳବାର ବ୍ରିଟେନରେ ପହଞ୍ଚିଛନ୍ତି। ‘ଲର୍ଣ୍ଣିଂ ଟୁ ଲିସନ ଇନ୍ ଦ ଟ୍ବେଣ୍ଟି ଫାଷ୍ଟ୍ ସେଞ୍ଚୁରି’ ବିଷୟବସ୍ତୁ ଉପରେ ରାହୁଲ କେମ୍ବ୍ରିଜ୍ରେ ଭାଷଣ ଦେବେ।
ରାହୁଲ ଗାନ୍ଧିଙ୍କ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଅନେକ ୟୁଜର ‘ନ୍ୟୁ ଲୁକ୍’ ହାସ୍ଟାଗ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଦୀର୍ଘ ୪ ମାସର ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧି ତାଙ୍କ ଦାଢ଼ି ଓ ଚୁଟି ବଢ଼ାଇଥିଲେ ଏବଂ କେବଳ ଧଳା ଟି-ସାର୍ଟ ପିନ୍ଧୁଥିଲେ। କେମ୍ବ୍ରିଜରେ ରାହୁଲ ଜଣେ ଭାରତୀୟ ବଂଶୋଦ୍ଭବ ପ୍ରଫେସର ଶ୍ରୁତି କପିଲାଙ୍କ ସହ ‘ବିଗ୍ ଡାଟା ଆଣ୍ଡ ଡିମୋକ୍ରାସି’ ଏବଂ ‘ଭାରତ-ଚୀନ୍ ସମ୍ପର୍କ’ ନେଇ ବୈଠକ କରିବେ।