ମୁଣ୍ଡ ଉପରେ ନିର୍ବାଚନ, ଛୁଟି ମନାଇବାକୁ ବିଦେଶ ପଳାଇଲେ ରାହୁଲ!

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ମାସରେ ତେଲେଙ୍ଗାନା ଯିବେ | ସେହିପରି ଆଗକୁ ଗୁଜୁରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ହେବାର ଅଛି | ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ଓ ବିଜେପି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଛୁଟି ମନାଇବାକୁ ରାହୁଲ ଗାନ୍ଧୀ ବିଦେଶ ଚାଲିଯାଇଛନ୍ତି | କଂଗ୍ରେସ ପକ୍ଷରୁ ଏନେଇ କିଛି କୁହାଯାଇନଥିଲେ ବି ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାହୁଲ ବିଦେଶ ଯାଇଛନ୍ତି |

ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ରାହୁଲ ବିଦେଶ ଗସ୍ତରେ ଯାଇଥିଲେ | ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ବିଗୁଲ ବାଜିବା ପରେ ରାହୁଲ ବିଦେଶ ଯାଇଥିଲେ | ସେହିପରି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ଠିକ ମାସକ ପୂର୍ବରୁ ମଧ୍ୟ ରାହୁଲ ବିଦେଶ ଗସ୍ତରେ ଯାଇଥିଲେ | ତେବେ ଗତ ୫ ମାସ ମଧ୍ୟରେ ରାହୁଲ ଗାନ୍ଧୀଙ୍କର ଏହା ଦ୍ଵିତୀୟ ଗସ୍ତ ହୋଇଥିବାବେଳେ ଏହାକୁ ନେଇ କିଛି କଂଗ୍ରେସ ନେତା ଅସନ୍ଟୁଷ୍ଟ ଅଛନ୍ତି |

ଏନେଇ ନେତାମାନେ ସାମ୍ନାକୁ ଆସିନଥିଲେ ବି ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ଥିବାବେଳେ ରାହୁଲଙ୍କ ବିଦେଶ ବୁଲିବାକୁ ସେମାନେ ନାପସନ୍ଦ କରିଛନ୍ତି | ସେମାନଙ୍କ କହିବା କଥା ଯେ ବିଧାନସଭା ନିର୍ବାଚନକୁ ନେଇ ଅନ୍ୟ ଦଳମାନେ ପ୍ରସ୍ତୁତ ହେଉଥିବାବେଳେ ରାହୁଲ ରଣନୀତି ପ୍ରସ୍ତୁତ ନ କରି ବିଦେଶ ପଳାଇଛନ୍ତି | ଉଲ୍ଲେଖ ଥାଉ କି କିଛି ଦିନ ତଳେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବରିଷ୍ଠ ନେତା ଓ ପ୍ରଶାନ୍ତ କିଶୋରଙ୍କ ସହ ଦୁଇଟି ରାଜ୍ୟର ବିଧାନସଭା ନିର୍ବାଚନ ନେଇ ଆଲୋଚନା କରିଥିଲେ |

ସମ୍ବନ୍ଧିତ ଖବର